ଛତ୍ରପୁରରେ ଜିଲ୍ଲାସ୍ତରୀୟ 75 ତମ ସ୍ବାଧୀନତା ଦିବସ ପାଳିତ
ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ 75 ତମ ସ୍ବାଧୀନତା ଦିବସ ମହା ସମାରୋହରେ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ପାଳିତ ହୋଇ ଯାଇଛି । ମାନ୍ୟବର ଇସ୍ପାତ, ଖଣି ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରି ନିଜ ବକ୍ତବ୍ୟରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ଜଣାଇଥିଲେଯେ, ଆଜିର ଦିନରେ ଗୋଟିଏ କଥା ମନକୁ ଆସେ, ଯେଉଁ ଲକ୍ଷ୍ୟ ନେଇ ଆମର ପୂର୍ବ ପୁରୁଷମାନେ ନିଜ ଜୀବନକୁ ଉତ୍ସର୍ଗ କରି ଆମକୁ ସ୍ବାଧୀନତା ଆଣି ଦେଇଛନ୍ତି ସେମାନଙ୍କ ସ୍ବପ୍ନକୁ ଆମେ କେତେ ମାତ୍ରାରେ ପୂରଣ କରିପାରିଛେ ? ଜଣେ ପ୍ରକୃତ ଭାରତୀୟ ଭାବେ ସମସ୍ତେ ନିଜକୁ ଏହି ପ୍ରଶ୍ନ ପଚାରିବା ଆବଶ୍ୟକ । ସେହିପରି ସମାଜରେ ଭେଦଭାବ, ଉଚ୍ଚନୀଚ, ସବର୍ଣ୍ଣ ଅସବର୍ଣ୍ଣ ଆଦି ସାମାଜିକ କଳଙ୍କକୁ ଦୂରେଇବା ରାଷ୍ଚ୍ର ପାଇଁ ମଙ୍ଗଳକର । ଆମେ ଏକବିଂଶ ଶତାବ୍ଦୀରେ ଏକ ନୂଆ ଭାରତର ପରିକଳ୍ପନା କରି ସେ ଦିଗରେ ମଧ୍ୟ ଅଗ୍ରସର ହେଉ ଅଛୁ । ମାତ୍ର ଆମର ଆଶା, ସ୍ବପ୍ନ ଏବଂ ଲକ୍ଷ୍ୟ ଏବେବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଭାରତ ପରି ଏକ ସର୍ବ ବୃହତ୍ ଜନ ବହୁଳ ଗଣତାନ୍ତ୍ରିକ ଦେଶ ପାଇଁ ଉଗ୍ରବାଦ ଓ ଆତଙ୍କବାଦ ଆଦି ସମସ୍ୟା ସୃଷ୍ଟି କରି ଆସୁଛି । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଆମ ସମସ୍ତଙ୍କୁ ଏକାଠି ହୋଇ ଆଜିର ଦିନରେ ଶପଥ ନେବାକୁ ପଡିବ ବୋଲି ଜଣାଇଥିଲେ । ସ୍ବାଧୀନତା ପ୍ରାପ୍ତି ନିମନ୍ତେ ଘୁମୁସରର ଅବଦାନ କଥା ଆଲୋଚନା କଲାବେଳେ ମନରେ ସ୍ବତଃ ରୋମାଞ୍ଚକର ଶିହରଣ ଖେଳିଯାଏ । ଘୁମୁସର ବିଦ୍ରୋହର ପ୍ରମୁଖ ନେତା ଦୀବାକର ପଟ୍ଟନାୟକ, ଚକରା ବିଷୋୟୀ, ଦୋରା ବିଷୋୟୀ, ଶଶୀ ଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବାଞ୍ଛାନିଧି ପଟ୍ଟନାୟକ, ବିଶ୍ବନାଥ ଦାଶ, ନିରଞ୍ଜନ ପଟ୍ଟନାଯକ ପ୍ରମୁଖ ଯେଉଁମାନେ ସ୍ବାଧୀନତା ସଂଗ୍ରାମରେ ଆତ୍ମୋତ୍ସର୍ଗ କରିଛନ୍ତି ସେମାନେ ଆମର ଚୀର ନମସ୍ୟ । ସେମାନଙ୍କୁ ସ୍ମରଣ କରିବା ପାଇଁ ଆଜି ଦିନଟି ଆମକୁ ସୁଯୋଗ ଦେଇଥାଏ । କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅବଦାନ ଅତ୍ୟନ୍ତ ମହନୀୟ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ ପଟ୍ଟନାୟକ, ବାସୁଦେବ ରଥ ଶର୍ମା, ଜ୍ୟୋତିଷ ବିଶାରଦ ବାଇକୋଳି ମହାପାତ୍ର ପ୍ରମୁଖ ନିଜ ନିଜର ଉତ୍କର୍ଷତା ପ୍ରତିପାଦନ କରିଯାଇଛନ୍ତି । ବାସ୍ତବରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନମାନସରେ ଏକ ଅମ୍ଳାନ ଦୀପ୍ତି ହୋଇ ରହିଛି । କରୋନା ସମୟରେ ଜିଲ୍ଲାକୁ କରୋନା ମୁକ୍ତ କରିବା ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଆଜି ସାରା ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରୟୋଗ କରାଯାଇ କରୋନା ସଂକ୍ରମଣକୁ ରୋକାଯାଇପାରିଛି । ରାଜସ୍ବ ରଥ ଦ୍ବାରା ମୋବାଇଲ୍ ସେବାର ସୁବିଧା ଆଜି ଜିଲ୍ଲାର ଗ୍ରାମାଞ୍ଚଳରେ ଉପଲବ୍ଧ ହୋଇ ପାରିଛି । ଜନଶୁଣାଣୀ ସକାଶେ ଜିଲ୍ଲାରେ ମୋ ନିବେଦନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳର ଲୋକେ ଜିଲ୍ଲା ସଦର ମହକୁମାକୁ ନ ଆସି ନିଜ ଗାଁ ରେ ରହି ନିଜର ଅସୁବିଧା ଜିଲ୍ଲା ପ୍ରଶାସନକୁ ଜଣାଇ ପାରୁଛନ୍ତି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟି କରଣ ଚାଲିଛି । ଜିଲ୍ଲାରେ ରହିଥିବା ତାମ୍ପରା ହ୍ରଦ, ସୋନପୁର ବେଳାଭୂମି, ଶରଣ ଶ୍ରୀକ୍ଷେତ୍ର, ପୋତାଗଡ ପ୍ରଭୃତି ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ଦିଗରେ ଅନେକ ଯୋଜନା ହାତକୁ ନିଆଯାଇଛି । ବ୍ରହ୍ମପୁର ରାମଲିଙ୍ଗେଶ୍ବର ପୋଖରୀ ସୌନ୍ଦର୍ଯ୍ୟକରଣ କରି ସୁନ୍ଦର ଉଦ୍ୟାନ ପ୍ରସ୍ତୁତ ହୋଇ ପାରିଛି । ବ୍ରହ୍ମପୁର ଏମ୍.କେ.ସି.ଜି.ରେ ଅକ୍ସିଜେନ୍ ପ୍ଲାଣ୍ଟ ଅନେକ ଜନ ଜୀବନ ସୁରକ୍ଷାର ଆୟୁଧ ହୋଇ ପାରିଛି ବୋଲି ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉତ୍ସବରେ ମାନ୍ୟବର ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ମାନ୍ୟବର ବିଧାୟକ ଛତ୍ରପୁର ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ ବ୍ରିଜେଶ୍ କୁମାର ରାୟ ପ୍ରମୁଖ ଉପସ୍ଥିତ ରହି ସମ୍ମାନୀତ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଥିଲେ ।
75 ତମ ସ୍ବାଧୀନତା ଦିବସ ପ୍ୟାରେଡ୍ ରେ ଓ.ଏସ୍.ଏ.ପି. ଅଷ୍ଟମ ବାଟାଲିୟନ୍ ଛତ୍ରପୁର, ଆର୍ମଡ୍ ପୋଲିସ୍ ରିଜର୍ଭଡ୍ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିବା ବେଳେ ଓଡିଶା ରାଜ୍ୟ ଆର୍ମଡ୍ ପୋଲିସ୍ ଓ ଜିଲ୍ଲା ପୋଲିସ୍ ମିଳିତ ଭାବେ ଘୋଷବାଦ୍ୟ ପରିବେଷଣ କରିଥିଲେ । ପ୍ୟାରେଡ୍ ଟିକୁ ପ୍ୟାରେଡ୍ କମାଣ୍ଡର, ଆସିଷ୍ଟାଣ୍ଟ କମାଣ୍ଡର ମାନସ ରଞ୍ଜନ ମହାନ୍ତି ପ୍ୟାରେଡ୍ ପରିଚାଳନା କରିଥିବା ବେଳେ ତାଙ୍କୁ ସେକେଣ୍ଡ ଇନ୍ କମାଣ୍ଡ ଭାବେ ସଞ୍ଜୟ କୁମାର ବାରିକ ଓ ସ୍ପେସିଆଲ୍ ଅଫିସର ସର୍ଜେଣ୍ଟ ବିବେକାନନ୍ଦ ନାୟକ ସହଯୋଗ କରିଥିଲେ । କରୋନା ବିପତ୍ତି ସମୟରେ ଉଲ୍ଲେଖନୀୟ ସେବା ଯୋଗୁଁ ଜିଲ୍ଲାର 29 ଜଣ ସାମ୍ବାଦିକ ଓ 21 ଜଣ ସରକାରୀ କର୍ମଚାରୀ, ସ୍ବେଚ୍ଛାସେବା ଅନୁଷ୍ଠାନର ମୁଖ୍ୟ ଓ ସମାଜସେବୀଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


