ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବୈଠକ;ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବାକୁ ବିଧାୟକଙ୍କ ପରାମର୍ଶ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ସରକାରୀ ଉପଖଣ୍ଡଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ର ପରିଚାଳନା ଓ କାର୍ଯ୍ୟକାରୀ କମିଟିର ବୈଠକ ଚିକିତ୍ସାଳୟ ପରିସରରେ ଗୁରୁବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରୋଗୀମାନଙ୍କୁ ଉଚିତ୍ ସେବା ଯୋଗାଇଦେବା ସହ ସମସ୍ତେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଠାରୁ ଆରମ୍ଭ କରି ଆଖପାଖ ନିର୍ବାଚନ ମଣ୍ଡଳୀର ବହୁଜନସାଧାରଣ ନିର୍ଭର କରୁଛନ୍ତି ତେଣୁ ଚିକିତ୍ସାଳୟ କୁ ଆସୁଥିବା ରୋଗୀ ମାନେ କିପରି ସମସ୍ତ ସୁବିଧା ପାଇପାରିବେ ସେଥି ପ୍ରତି ଧ୍ୟାନ ଦେବା ନିମନ୍ତେ ଅଧିକାରୀ ମାନଙ୍କୁ ସେ କହିଥିଲେ । କୋଭିଡ ସମୟରେ ଚିକିତ୍ସାଳୟର ସମସ୍ତ କର୍ମଚରୀ ମାନେ ଅହରହ କାର୍ଯ୍ୟ କରିଆସୁଛନ୍ତି ଏଥି ସକାଶେ ସମସ୍ତଙ୍କୁ ବିଧାୟକ ପ୍ରଶଂସା କରିଥିଲେ ।ଆଗ ଅପେକ୍ଷା ଚିକିତ୍ସାଳୟର ପାରିପାଶ୍ୱର୍ିକ ଉନ୍ନତି ହୋଇଛି । ଏହାସହ ଚିକିତ୍ସାଳୟକୁ ନୀୟମିତ ସଫାସୁତରା ରଖିବାକୁ ବିଧାୟକ କହିଥିଲେ । କାୟାକଳ୍ପ ରେ କିପରି ଜିଲ୍ଲାର ଶୀର୍ଷ ସ୍ଥାନ ଅଧିକାର କରିବେ ସେଥି ନିମନ୍ତେ ସମସ୍ତେ ଗୁରୁତ୍ୱ ଦେବାକୁ ମଧ୍ୟ ବିଧାୟକ କହିଥିଲେ । ପୁର୍ବରୁ ମେଡିସିନ ବିଭାଗର ଡାକ୍ତର ନିମନ୍ତେ ଅନୁରୋଧ କରାଯାଇଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀ ଅନସ୍ଥା ବିଭାଗ ଡାକ୍ତର ସଂପର୍କରେ ଉଚ୍ଚପଦସ୍ଥଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ବିଧାୟକ କହିଥିଲେ । ମହାପ୍ରଣୟନ ଗାଡି ଓ ଡ୍ରେନେଜ ସମସ୍ୟା ସଂପର୍କରେ ରୋଗୀ କଲ୍ୟାଣ ସମିତିର ସଭ୍ୟ ବସନ୍ତ କୁମାର ମହାରଣା ଦୃଷ୍ଟି ଆକର୍ଷଣ କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଯୋଗଦେଇ ଚିକିତ୍ସାଳୟକୁ ସୈାଦର୍ଯ୍ୟକରଣ ନିମନ୍ତେ ରାସ୍ତା ଓ କୋଠାବାଡି ଏବଂ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲୁଥିବା କାର୍ଯ୍ୟଗୁଡିକ ତୁରନ୍ତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି.,ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଏବିଇଓ ନୃସିଂହ ଚରଣ ମିଶ୍ର, ରାସ୍ତା ଓ କୋଠାବାଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ , ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଡମ୍ବୁରୁଧର ନାୟକ, ରୋଗୀ କଲ୍ୟାଣ ସମିତିର ସଭ୍ୟ ବସନ୍ତ କୁମାର ମହାରଣା ଓ ସୂବଣ୍ଣମାଳା ବିଷୋୟୀ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଚିକିତ୍ସାଳୟର ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ କହିଥିଲେ । ପୂର୍ବ ବୈଠକର ପ୍ରସ୍ତାବ ଗୁଡିକ ଆଜିର ବୈଠକରେ ଅନୁମୋଦିତ କରାଯାଇଥିବା ବେଳେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ର ଅଧ୍ୟକ୍ଷ ଡାକ୍ଟର କାହ୍ନୁ ଚରଣ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ହସ୍ପିଟାଲ ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


