ଜଂଗଲ ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ହଦଗଡରେ ଗ୍ରାମସଭା
ହାଟଡିହିି, (ବିକାଶ ବିଶ୍ୱାଳ):ହଦଗଡ ପଞ୍ଚାୟତରେ ଜଂଗଲ ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଆଜି ହଦଗଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗ୍ରାମସଭାରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ, ହାଯଡିହିର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ହଦଗଡ ବନାଞ୍ଚଳ ଅଧିକାରୀ ଲଛମନ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀଯନ୍ତ୍ରୀ ରମେଶଚନ୍ଦ୍ର ନାୟକ, ସରପଞ୍ଚ ନିରୁପମା ନନ୍ଦି, ସମାଜମଙ୍ଗଳ ଅଧିକାରୀ ଆଲୋକ ମାଝୀ, ରାଜସ୍ୱ ନିରୀକ୍ଷକ କୃଷ୍ଣଚନ୍ଦ୍ର ଦାସ, ଆର.ସି.ଡି.ସିର ପରିଚାଳକ ଆନନ୍ଦ ସେଠୀ ପ୍ରମୁଖ ଯୋଗଦେଇ ଦଲକି, ପିତାନାଉ, ରତ୍ନମରା, ସୁଜୁନାପାଳ ଆଦି ଗ୍ରାମର ଲୋକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ । ୭୦ବର୍ଷ ଧରି ସେମାନେ ଏହିସବୁ ଗ୍ରାମରେ ବସବାସ କରିଆସୁଥିଲେବି ସେମାନଙ୍କ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଇ ନାହିଁ । ଫଳରେ ଏହିସବୁ ଗ୍ରାମର ପିଲାମାନେ ବାସସ୍ଥାନ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ପାଇପାରୁ ନାହାନ୍ତି । ଏପରିକି ଏହିସବୁ ଗ୍ରାମର ଲୋକମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦୁ୍ୟତ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଆସୁଛନ୍ତି । ଏବେ ସରକାର ଡିଜିଟାଲ ଇଣ୍ଡିଆ କହିବୁଲୁଥିବାବେଳେ ଏହିସବୁ ଗାଁରେ ଟେଲିଫୋନର କୌଣସି ସୁବିଧା ସୁଯୋଗ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସେହିପରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ କରିବାଲାଗି ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ସେମାନେ କାଠକଟା ଦେଇ ପ୍ରାୟ ୩୦କିଲୋମିଟର ଦୁର ବୁଲିବୁଲି ହଦଗଡ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି ବୋଲି ବୁଦ୍ଧିରାମ ପୁର୍ତ୍ତି, ରବିନ୍ଦ୍ର ଦଣ୍ଡପାଟ, ରବିନ୍ଦ୍ର ଦେହୁରୀ, ଗୋବିନ୍ଦ ପଇଦା, ବାଦୁନୁ ବଦ୍ରା, ରଣଜିତ ବେହେରା, ବସନ୍ତ ନାଇକ, ଆନନ୍ଦ ପଇଦା, ରବିନ୍ଦ୍ର ଖଟୁଆ, ଶଙ୍କର୍ଷଣ ବିନିସିଆ, ପ୍ରତାପ ସିଙ୍ଗରାଇ, ହରିହର ପଇଦା, ଭୀମସେନ କପୁଣ୍ଡିଆ ପ୍ରମୁଖ ଗ୍ରାମବାସୀମାନେ ନିଜ ନିଜର ମତାମତ ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗମାନ ଶୁଣିବାପରେ କିପରି ତୁରନ୍ତ ରାଜସ୍ୱଗ୍ରାମର ମାନ୍ୟତା ମିଳିବ ସେନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଥିଲେ । ଏହିସବୁ ଗ୍ରାମରେ ଉନ୍ନୟନ ମୁଳକ କାର୍ଯ୍ୟ କିବାପାଇଁ ବିଡିଓ ବିନିତା ବିଜୟିନୀ ଅନ୍ୟ ବିଭାଗ ଗୁଡିକର ସହଯୋଗ ଲୋଡିଥିଲେ । ଶେଷରେ ସରପଞ୍ଚ ନିରୁପମା ନନ୍ଦି ଧନ୍ୟବାଦ ଅର୍ପଣ କରିଥିଲେ । ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି, ପିଇଓ ଉମାକାନ୍ତ ନାୟକ, ପୁର୍ବତନ ପିଇଓ ଜିତେନ୍ଦ୍ର ଜେନା, ଜିଆରଏସ ଗୋଲଖ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପରୋକ୍ତ ୪ଟି ଗ୍ରାମର ୱାର୍ଡସଭ୍ୟସଭ୍ୟା ଓ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ ।


