ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ସମାବେଶ

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଭିନ୍ନ ଦାବି ନେଇ ବାଲେଶ୍ୱର ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ମହିଳା ପୁରୁଷଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରୁ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ମଞ୍ଚର କର୍ମକର୍ତ୍ତା, ସଦସ୍ୟଙ୍କ ସମେତ ପାରମ୍ପରିକ ବେଶଭୂଷା ଓ ଅସ୍ତ୍ରଶସ୍ତ୍ର ତଥା ବାଦ୍ୟଯନ୍ତ୍ର ସହ ସାମିଲ ହୋଇଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସନାତନ ମୁର୍ମୁ, ଡା.ରାଜକିଶୋର ହାଁସଦା, ରାଜ୍ୟ ସଂଯୋଜକ ଶକ୍ତି ଦୟାଲ କିସ୍କୁ, ଜିଲା ସଂଯୋଜକ ସୁକୁମାର ନାୟକ, ଜିଲା ସଂଯୋଜିକା ଫୁଲ ଟୁଡୁଙ୍କ ସମେତ ବିପିନ ମାରାଣ୍ଡି, ମଙ୍ଗୁ ସିଂ, ପାର୍ବତୀ ମୁର୍ମୁ, ବାବୁଲି ସିଂ ପ୍ରମୁଖ ଯୋଗଦେଇ ଆଦିବାସୀଙ୍କ ପ୍ରତି ବଢ଼ି ଚାଲିଥିବା ସରକାରୀ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ବିଶେଷ କରି ଧର୍ମ ପରିବର୍ତ୍ତନ କରୁଥିବା ଆଦିବାସୀଙ୍କୁ ସଂରକ୍ଷଣ ନିୟମରୁ ବାଦ ଦେବା, ଜନଜାତିଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଉନ୍ନ୍ୟନ ମୂଳକ ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ସରକାରୀ ଓ ବେସରକାରୀ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ବ୍ୟବସ୍ଥା ସଠିକ ଲାଗୁ କରିବା ପ୍ରଭୃତି ଦାବି ଉପରେ ବକ୍ତାମାନେ କହିଥିଲେ । ଦାବି ପୂରଣରେ ଉଚିତ ପଦକ୍ଷେପ ନିଆ ନ ଗଲେ ଜନଜାତି ସୁରକ୍ଷା ମଞ୍ଚ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ