କଞ୍ଜାମେଣ୍ଡି ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ : ଆନ୍ଦୋଳନ ପାଇଁ ଅଞ୍ଚଳ ବାସୀଙ୍କ ସଜବାଜ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସଦର ପଞ୍ଚାୟତ କଞ୍ଜାମେଣ୍ଡିରେ ପାନୀୟ ଜଳର ଉତ୍କଟ ସମସ୍ୟା । ସରକାରଙ୍କ ଯୋଜନା ଏଠାରେ ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ବାଲିଗୁଡ଼ା ବିଧାୟକଙ୍କ ନିଜ ବ୍ଲକ୍ ହୋଇଥିବା ସତ୍ତ୍ଵେ ଏଠି ପାନୀୟ ଜଳ ଯୋଗାଣ ସମସ୍ୟାକୁ ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି । କୁଡୁତୁଲି ନଦୀ କୂଳରେ ପମ୍ପ ହାଉସ୍ ନିର୍ମାଣ ହୋଇଛି ହେଲେ ପଞ୍ଚାୟତରେ ଥିବା ୧୪ ଓ୍ଵାର୍ଡକୁ ପାନୀୟ ଜଳ ଯୋଗାଣ ଠିକ୍ ଭାବରେ ହୋଇପାରୁନଥିବା ଅଭିଯୋଗ ହେଉଛି । ଦିନ ତମାମ ଷ୍ଟାଣ୍ଡ ପୋଷ୍ଟ ନିକଟରେ ଲୋକେ ଟୋପେ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ବସି ରହୁଥିଲେ ମଧ୍ୟ ଠିକ୍ ଭାବରେ ଟୋପେ ପାଣି ପାଇ ପାରୁନାହାନ୍ତି । କେଉଁ ଦିନ କେତେ ବେଳେ ପାଣି ଛାଡୁଛନ୍ତି ତାର କିଛି ଠିକ୍ ଠିକଣା ରହୁନାହିଁ । ବର୍ତ୍ତମାନ ସମୟରେ ଟୋପାଏ ପାଣି ପାଇଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଯୋଗୁଁ ଗୋଟିଏ ପଟେ କୂଅ, ପୋଖରୀ, ନଦୀ,ନାଳ ଶୁଖିଲା ପଡ଼ିଥିବା ବେଳେ ଜଳଯୋଗାଣ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଜୀବଜନ୍ତୁଙ୍କ ଭଳି ଜନସାଧାରଣ ମଧ୍ୟ ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଅଞ୍ଚଳବାସୀ ଏନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । କର୍ମଚାରୀ ମାନଙ୍କୁ ଏ ବାବଦରେ ପଚାରିଲେ କୌଣଶି ସନ୍ତୋଷ ଜନକ ଉତ୍ତର ମିଳୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି । ଯଥାଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଅଞ୍ଚଳବାସୀ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଆପଣେଇବାକୁ ସଜବାଜ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।


