” ଜନ ସୁରକ୍ଷା ହାତୀ ରକ୍ଷା ” ପାଇଁ ବ୍ୟାପକ ବ୍ୟବସ୍ଥା

ବୁଗୁଡ଼ା, (ଅନିଲ କୁମାର ମହାରଣା):ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ଦ୍ୱାରା ବ୍ୟାପକ ଫସଲ କ୍ଷୟକ୍ଷତିକୁ ନେଇ ଚିନ୍ତାରେ ଚାଷି ଓ ବନ ବିଭାଗ। ଧାନ ଫସଲ ଅମଳ ସମୟରେ ଫସଲ ଖାଇବାକୁ ତୟାର ହୋଇଗଲେଣି ହାତୀ ପଲ l ବୁଗୁଡା ବନାଞ୍ଚଳ ଅଧିନସ୍ଥ ପଞ୍ଚଭୂତି ସେକ୍ସନ ର ସମଲେଇ ବିଟରେ ବର୍ତ୍ତମାନ ୭ ଟି ହାତୀ ଥିବା ଦଳ ସକ୍ରିୟ ଥିବା ଜଣାପଡିଛି। ଏହି ଦଳରେ ୨ ଟି ଅଣ୍ଡିରା,୩ ଟି ମାଈ ଓ ୨ ଟି ଛୁଆ ହାତୀ ଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି l ଏହି ହାତୀ ପଲ ସମଲେଇ ଅଞ୍ଚଳରେ ବ୍ୟାପକ କଦଳୀ ଗଛ କ୍ଷତି କରିଥିବା ବେଳେ କିଛି ଧାନ ଫସଲ ମଧ୍ୟ ଖାଇ ନଷ୍ଟ କରିଥିବା ବୁଗୁଡା ବନବିଭାଗ ସୁଚନା ଦେଇଛି l ଗତ ୧୪ ତାରିଖ ପୂର୍ବ ରାତିରେ ଏକ ଅଣ୍ଡିରା ଛୁଆ ହାତୀ ଫସଲ ଖାଇବାକୁ ଆସି ଶିକାରୀଙ୍କ ବିଦ୍ୟୁତ ଫାସରେ ଲାଗି ପ୍ରାଣ ହରାଇବା ଘଟଣାରେ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଥିବା ବେଳେ ବର୍ତ୍ତମାନ ହାତୀ ମୃତ୍ୟୁ ଏଡାଇବା ପାଇଁ ବନ ବିଭାଗ ପକ୍ଷରୁ ରାତ୍ର କାଳୀନ ପେଟ୍ରୋଲିଂ କଡାକଡ଼ି କରାଯିବା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ସହ ହାତୀମାନଙ୍କୁ ରକ୍ଷା କରିବା ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ” ଜନ ସୁରକ୍ଷା ହାତୀ ରକ୍ଷା ” ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନା ପ୍ରକାରେ ବନ୍ୟପ୍ରାଣୀଙ୍କ ଦ୍ଵାରା ଫସଲ କ୍ଷୟକ୍ଷତିକୁ ରକ୍ଷା କରିବା ପାଇଁ କୃଷକମାନେ ଜଙ୍ଗଲ ଅଞ୍ଚଳ ଜମିରେ ବ୍ୟକ୍ତିଗତ ଭାବେ ବା ମିଳିତ ଭାବେ ସୋଲାର ଲାଇଟ ବ୍ୟବହାର କରିବା ପାଇଁ ସରକାର ସହଯୋଗର ହାତ ବଢାଇବାକୁ ସ୍ଥିର କରିଛନ୍ତି। ସେହିପରି ହାତୀପଲର ସୁରକ୍ଷା ଓ ଗତିବିଧି ଅନୁଧ୍ୟାନ କରିବା ପାଇଁ ହାତୀ ଉପଦ୍ରବ କରୁଥିବା ଅଞ୍ଚଳରେ ୧୦ ଜଣ ଯୁବକମାନଙ୍କୁ ନେଇ “ଗଜ ସାଥୀ” ବାହିନୀ ଗଠନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚାଷୀଙ୍କ ଫସଲ ବନ୍ୟଜନ୍ତୁ ଦ୍ୱାରା ନଷ୍ଟ ହେଲେ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉଛି। ବନ ବିଭାଗ ଚାଷୀଙ୍କ ଧନ ଜୀବନ ପାଇଁ ସର୍ବଦା ଚେଷ୍ଟିତ ଥିବା ବେଳେ ବନ୍ୟପ୍ରାଣୀ ଶିକାରରୁ ସମସ୍ତେ ନିବୃତ ରହିବାକୁ ଆଲୋଚନା ବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ