ଜଳସମ୍ପଦ ବିଭାଗର କେନାଲକାମ ଅଧାପନ୍ତରିଆ : ବିଭାଗ ସାଜିଲା ନିରବଦ୍ରଷ୍ଟା
ହାଟଡିହି, (ବିକାଶ ବିଶ୍ୱାଳ) :-ତଳ ମୁଣ୍ଡରେ ଥିବା ଚାଷୀ ମାନଙ୍କ ଜମିକୁ କିପରି ସହଜରେ ପାଣି ମଡାଯାଇ ପାରିବ ଓ ମରୁଡି ସମୟରେ ସୁଚାରୁରୁପେ ଜଳସେଚନର ସୁବିଧା ନିମନ୍ତେ ସରକାର ବିପୁଳ ପରିମାଣର ଅନୁଦାନ ଯୋଗାଇ ଦେଇଥିବାବେଳେ ଜଳସମ୍ପଦ ବିଭାଗ ଓ ଠିକାଦାରଙ୍କ ସଲାସୁତୁରା ଯୋଗୁଁ ଏହି ଅନୁଦାନ ଏବେ ପାଣିରେ ପଡିବା ସାର ହୋଇଛି । କେନ୍ଦୁଝର ଜିଲା ହାଟଡିହି ବ୍ଲକର ବିଦ୍ୟାଧରପୁର-ଆନନ୍ଦପୁର ମେନ କେନାଲ, ଶାଳଣିଆଁ କେନାଲ, ହାଟଡିହି କେନାଲ, ସୋସୋ କେନାଲ, ମନୋହରପୁର କେନାଲ, ମଠସାହି କେନାଲ, ଟାଇଗୁଣା କେନାଲ ପ୍ରଭୃତିି କେନାଲ ଗୁଡ଼ିକ କାର୍ଯ୍ୟ କରିବା ପାଇଁ କାଲକାଟାର ଏଚ.ଏସ.ସି.ଏଲ ଠିକାଦାର ଟେଣ୍ଡର ପାଇଥିଲା । ମାତ୍ର ସେ ଉକ୍ତ କାର୍ଯ୍ୟକୁ ନକରି ଏମ.ଏସ.ଆଇ.ଏଲ ନାମକ ଏକ ଠିକାସଂସ୍ଥାଙ୍କୁ ପ୍ରଦାନ କରିଥିଲା । ଉକ୍ତ କାର୍ଯ୍ୟଟିକୁ ୧୭ ମାସ ମଧ୍ୟରେ ସାରିବାକୁ ଏଗ୍ରିମେଣ୍ଟ ହୋଇଥିଲା । ଏହି କାମ ହେବାପରେ ବହୁ କମ ସମୟ ଭିତରେ ତଳମୁଣ୍ଡରେ ଥିବା ଚାଷୀଙ୍କ ଜମିକୁ ସହଜରେ ପାଣି ଯାଇପାରିବ ଓ ଚାଷୀ ମାନେ ଉପଯୁକ୍ତ ଭାବେ ଆବଶ୍ୟକ ପାଣି ପାଇବେ ବୋଲି ଆଶା କରିଥିଲେ । କେନାଲର ଉଭୟ ପାଶ୍ୱର୍କୁ ସିମେଣ୍ଟ କଂକ୍ରିଟ ଦ୍ୱାରା ଲାଇନଙ୍ଗ କରାଯିବା ଦ୍ୱାରା ପାଣିର ଅପଚୟ ହେବ ନାହିଁ ଏବଂ ଚାଷଜମିକୁ ଠିକ ଭାବରେ ପାଣି ଯିବ ବୋଲି ଭାବିଥିଲେ । କେନାଲର ଦୁଇ ପାଶ୍ୱର୍ ଚାରି ଇଞ୍ଚ ଢ଼ଳାଇ ହେବା ସହ ତଳ ବେଡ଼ଟି ମଧ୍ୟ ୱାଲବିମ୍ ଦେଇ ବାଲି ଫିଲିଙ୍ଗ୍ କରି ବିମ୍ ଉପରେ ଢ଼ଳାଇ ପଡ଼ିବ ବୋଲି ଏଷ୍ଟିମେଣ୍ଟ ଥିଲା । । ମାତ୍ର ଏମ.ଏସ.ଆଇ.ଏଲ ଉକ୍ତ କାର୍ଯ୍ୟକୁ ନକରି କୁଜି ଠିକାଦାର ନିଯୁକ୍ତି କରି ୪୦ରୁ ୫୦ପରସେଣ୍ଟ ଲେସରେ କାର୍ଯ୍ୟ କରାଇଥିଲା । ଫଳରେ କାମ କରୁଥିବା ଠିକାଦାର ମାନେ ଅତି ନିମ୍ନ ମାନର କରିବାପାଇଁ ବାଧ୍ୟ ହୋଇଥିଲେ । ଏହାକୁ ବିଭାଗ ଅଧିକାରୀ , କନିଷ୍ଠଯନ୍ତ୍ରୀ ମାନେ ଦେଖୁଥିଲେ ମଧ୍ୟ ଚୁପ ହୋଇ ରହିଥିଲେ । ଯାହାଦ୍ୱାରାକି ୪ଇଞ୍ଚ ମୋଟଇର କଂକ୍ରିଟ କାମକୁ ମାତ୍ର ଦେଢ଼ ଇଞ୍ଚରୁ ଦୁଇ ଇଞ୍ଚ ପକାଇବା ସହ ସିମେଣ୍ଟ ଭାଗ ବହୁ କମ ଦେଇଥିଲେ । ଫଳରେ ଅନେକ ସ୍ଥାନରେ କ୍ରଂକିଟ ଲାଇନିଂ କାମ ଗୁଡିକ ଦିନ କେଇଟାରେ ଭୁଷୁଡି ପଡିଥିଲା । ସେହିପରି ବିଦ୍ୟାଧରପୁର ଠାରୁ ବାରିଗାଁ ପର୍ଯ୍ୟନ୍ତ କେନାଲକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭଦ୍ରକର ଏକ ଠିକାସଂସ୍ଥା ଦ୍ୱାରା କଂକ୍ରିଟ ଲାଇନିଂ କରାଯାଇଥିଲା । ଦିନ କେଇଟା ଭିତରେ ତାହା ଭାଙ୍ଗିଯିବା ପରେ ପୁନର୍ବାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପଥର ପେଚିଂ କରାଯାଇଛି । ଏବେ ପୁଣି ଯାହା କିଛିବି ଅଛି ତାହା ଦିନକୁ ଦିନ ଭାଙ୍ଗି ଖସିପଡୁଛି । ଯାହାଦ୍ୱାରାକି ସରକାରଙ୍କ ଏଭଳି ଏକ ଜନହିତକର ଯୋଜନା କେବଳ ପାଣିରେ ପଡିବା ସାର ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକମାନେ ଏବଂ ପାଣିପଞ୍ଚାୟତର ଚାଷୀମାନେ ବହୁବାର ଜଳସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେଇ ଠିକାଦାରଙ୍କ ସହ ସଲାସୁତୁରା କରିଥିଲେ । ଏପରିକି ୫ବର୍ଷ ପରେବି ଅନେକ ସ୍ଥାନରେ ଏହି ଲାଇନିଂ କାମ ସମ୍ପୁର୍ଣ୍ଣ ହୋଇନପାରି ଅଧାପନ୍ତରିଆ ଭାବେ ପଡି ରହିଛି । କିନ୍ତୁ ଏବେ ଏମ.ଏସ.ଆଇ.ଏଲ ଠିକାସଂସ୍ଥା କେନାଲ କାର୍ଯ୍ୟ ସଂପୂର୍ଣ୍ଣ ନକରି ପଳାଇଥିବାରୁ ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ହେବାନେଇ ଆଶଙ୍କା ପ୍ରକାଶ ପାଇଛି । ଉକ୍ତ ଠିକାସଂସ୍ଥା ୧୭ ମାସରେ କାମ ସଂପୂର୍ଣ୍ଣ କରିବାକୁ ଥିବା ବେଳେ ୫ ବର୍ଷ ଧରି କାମ ସମ୍ପୁର୍ଣ୍ଣ କରିନଥିବାରୁ କେବଳ ଟେଣ୍ଡର କ୍ୟାନସଲ ବ୍ୟତିତ ଉକ୍ତ ଠିକା ସଂସ୍ଥା ବିରୁଦ୍ଧରେ ବିଭାଗ ଅନ୍ୟ କୌଣସି ଠୋସ ପଦକ୍ଷେପ ନେଉ ନଥିବାରୁ ବିିଭାଗୀୟ ଅଧିକାରୀଙ୍କ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଅତିନିମ୍ନମାନର କାର୍ଯ୍ୟ କରିଥିବାରୁ ଉଚ୍ଚ ସ୍ତରୀୟ ତଦନ୍ତ କରାଇ ସଂପୃକ୍ତ ଠିକାସଂସ୍ଥାକୁ କଳାତାଲିକା ଭୁକ୍ତ କରିବାସହ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀଯନ୍ତ୍ରୀଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି ।


