ଜାତିସଂଘ ସୁରକ୍ଷା ପରିଷଦରେ ଚୀନର ଭାରତ ବିରୋଧୀ ବିବୃତ୍ତି: ବଳମ୍ବ କରାଇଲେ ଆମେରିକା, ଜର୍ମାନୀ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ୍‌ରେ କରାଚି ଷ୍ଟକ୍‌ ଏକ୍ସ୍‌ଚେଞ୍ଜ୍‌ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସକାଶେ ଡ୍ରାଫ୍‌ଟ ହୋଇଥିବା ଏକ ଗଣମାଧ୍ୟମ ବିବୃତ୍ତିକୁ ବିଳମ୍ବରେ ଉପସ୍ଥାପନ ପାଇଁ ଜର୍ମାନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ହସ୍ତକ୍ଷେପ କରିଛନ୍ତି। ଏହାକୁ ନେଇ ଚୀନ୍ ଉତ୍ତ୍ୟକ୍ତ ହୋଇଛି। ବୁଧବାର ସନ୍ଧ୍ୟା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବରୁ ଏହି ବିବୃତ୍ତି ଉପସ୍ଥାପନ ବିଳମ୍ବ କରାଇବାରେ ଜର୍ମାନି ଥିଲା ପ୍ରଥମ ଦେଶ। ଏହି ଆକ୍ରମଣ ଲାଗି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କୁରେଶି ଏବଂ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତକୁ ନିନ୍ଦା କରିଥିଲେ। ସେଥିପାଇଁ ଏହି ବିବୃତି ଉପସ୍ଥାପନ ବିଳମ୍ବ କରାଇ ଜର୍ମାନି ଓ ଆମେରିକା ନୂଆଦିଲ୍ଲୀକୁ ନିରବ ସମର୍ଥନ କରିଛି। ଚୀନ୍‌ ଦ୍ବାରା ଡ୍ରାଫ୍‌ଟ୍‌ ହୋଇଥିବା ଏହି ପ୍ରେସ୍ ବିବୃତି ସମବେଦନା ଏବଂ ସମର୍ଥନ ଜଣାଇବା ସହ କ୍ଷତି ଭରଣା ପାଇଁ ପାକିସ୍ତାନ ସରକାରଙ୍କୁ ସକ୍ରିୟ ସହଯୋଗ କରିବାକୁ ନିରାପତ୍ତା ପରିଷଦ୍ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରାଯାଇଥିଲା।
ମଙ୍ଗଳବାର ଦିନ ଚୀନ୍‌ ଏହି ବିବୃତ୍ତି ଆଗତ କରିବା ପରେ ଜାତିସଂଘ ନିରାପତ୍ତା ପରିଷଦ୍ ପ୍ରକ୍ରିୟା ଅନୁସାରେ ନ୍ୟୁୟର୍କ ସମୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ‘ସାଇଲେନ୍‌ସ୍’ ବା ‘ନିରବତା’ରେ ରଖିଥିଲା। ଏହି ସମୟ ମଧ୍ୟରେ ଯଦି ଏହା ଉପରେ କୌଣସି ସଦସ୍ୟ ରାଷ୍ଟ୍ର ଆପତ୍ତି ନ ଉଠାନ୍ତି ତେବେ ତାହା ଅନୁମୋଦନ ହୋଇଗଲା ବୋଲି ଧରାଯାଏ। କିନ୍ତୁ ଠିକ୍ ଅପରାହ୍ଣ ୪ଟାରେ ଜର୍ମାନି ପଶି ଆସି ଏହି ବିବୃତ୍ତି ଜାରି କରାଇବାରେ ବିଳମ୍ବ କରାଇଲା। ଏହାକୁ ଜାତିସଂଘସ୍ଥିତ ଚୀନ୍ ପ୍ରତିନିଧିମାନେ ତୀବ୍ର ବିରୋଧ କରି କହିଲେ ଯେ, ଅପରାହ୍ଣ ୪ଟା ପରେ ଜର୍ମାନି ଆସି ଏଥିରେ ହସ୍ତକ୍ଷେପ କରିଛି। ମାତ୍ର ନିୟମ ଅନୁସାରେ, ପୁଣି ଏହାର ଶେଷ ସମୟ ଜୁଲାଇ ୧ ତାରିଖ ପୂର୍ବାହ୍ନ ୧୦ଟାଯାଏଁ ବୋଲି ନିର୍ଦ୍ଧାରଣ କରାଗଲା। ହେଲେ, ନୂତନ ନିର୍ଦ୍ଧାରିତ ସମୟ‌ ଶେଷ ହେବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଆସି ହସ୍ତକ୍ଷେପ କଲା ଓ ବିବୃତ୍ତି ଉପସ୍ଥାପନରେ ଆହୁରି ବିଳମ୍ବ ହେଲା। କୂଟନୀତିଜ୍ଞମାନେ କହିଛନ୍ତି, ଏହାର କାରଣ ହେଉଛି, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏସ୍‌ ଏମ୍‌ କ୍ୟୁରେସି ଆତଙ୍କବାଦୀ ଆକ୍ରମଣ ନିମନ୍ତେ ଭାରତକୁ ଦାୟୀ କରି ଦେଇଥିବା ବିବୃତ୍ତି ଗ୍ରହଣୀୟ ନୁହେଁ ବୋଲି ବିଚାର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ