ଜାତୀୟ ରାଜପଥ କଡରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାନଯିବାକୁ ଦାବି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୁହୁରିଆ ବଜାର କମିଟି ସଭାପତି ସୌମ୍ୟରଞ୍ଜନ ସାହୁ ଏବଂ ସମ୍ପାଦକ ପ୍ରଦୀପ କୁମାର ନାଥଶର୍ମାଙ୍କ ନେତୃତ୍ୱରେ ଦୁହୁରିଆ ବଜାରର ଶତାଧିକ ଉଠାଦୋକାନୀ ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ହେଉଛି ସେମାନେ ବର୍ଷବର୍ଷ ଧରି ଦୁହୁରିଆ ବଜାରଠାରେ ବ୍ୟବସାୟ କରିଆସୁଛନ୍ତି । କିନ୍ତୁ ୫ନମ୍ବର(କ) ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡାକବାଜି ଯନ୍ତ୍ର ଯୋଗେ ଗତ ୨୪ତାରିଖରେ ଘୋଷଣା କରିଛନ୍ତି ଯେ ଆସନ୍ତା ୭ଦିନ ମଧ୍ୟରେ ଉଠାଦୋକାନୀମାନେ ଦୁହୁରିଆ ବଜାରରୁ ହଟିନଗଲେ ସେମାନଙ୍କ ଦୋକାନ ଉଚ୍ଛେଦ କରାଯିବ । କିନ୍ତୁ ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ଏବଂ ଆଗକୁ ଗଜଲକ୍ଷ୍ମୀ ଏବଂ ଦଶହରା ପର୍ବ ଆସୁଥିବାରୁ ସେମାନଙ୍କୁ ଗଜଲକ୍ଷ୍ମୀ ପୂଜା ଶେଷ ପର୍ଯ୍ୟନ୍ତ ଦୁହୁରିଆ ବଜାରର ରାସ୍ତା କଡରେ ପୂର୍ବଭଳି ବ୍ୟବସାୟ କରିବା ପାଇଁ ଅନୁମତି ଦିଆଯିବାକୁ ଉଠାଦୋକାନୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


