ଜାନୁଆରୀ ୧୮ ତାରିଖରୁ ଗଞ୍ଜାମ ଜିଲ୍ଲା ପ୍ରାଣିଚିକିତ୍ସକଙ୍କ ସମୂହ ଛୁଟି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପ୍ରାଣିଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣିଚିକିତ୍ସା ସେବା ସଂଘ ତରଫରୁ ବିଗତ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିବା ବେଳେ ରାଜ୍ୟ ସରକାର ଏଥୁପ୍ରତି କର୍ଣପାତ ନକରିବା ପରିତାପର ବିଷୟ ।ଗଞ୍ଜାମ ଜିଲ୍ଲା ପ୍ରାଣିଚିକିତ୍ସା ସେବା ସଂଘ ଦ୍ଵାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ରାଜ୍ୟରେ ପ୍ରାଣିପାଳନର ପରିଭାଷା ବଦଳିଛି । ପ୍ରାଣିପାଳକମାନେ ଆଜିର ସମୟରେ ବଡ ବଡ ସଂଗଠିତ ଫାର୍ମ ତିଆରି କରି ଅଧିକ ସଂଖ୍ୟାରେ ପ୍ରାଣିପାଳନ କରୁଛନ୍ତି ତଥା ଦେଶୀ ପ୍ରାଣୀସମ୍ପଦ ସ୍ଥାନରେ ଆଜି ବିଦେଶୀ ଓ ଉନ୍ନତ ପ୍ରଜାତିର ପ୍ରାଣିପାଳନ କରାଇଛନ୍ତି। ତାହା ସହିତ ସହରିକରଣ, ଔଦ୍ୟୋଗିକରଣ ଓ ସୂଚନା-ପ୍ରଯୁକ୍ତି ବିଦ୍ୟାର ପ୍ରଭୃତ ପ୍ରଗତି ମଧ୍ୟ ରାଜ୍ୟରେ ପ୍ରାଣିପାଳନ ବ୍ୟବସ୍ଥାକୁ ବହୁ ପରିମାଣରେ ପ୍ରଭାବିତ କରିଛି। ଆଜି ପ୍ରାଣିପାଳକମାନେ ନିଶୁଳ୍କ ଚିକିତ୍ସା ସେବା, ୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ସେବା, ଦ୍ବାରଦେଶରେ ଚିକିତ୍ସା, ଇତ୍ୟାଦି ଦାବି କରୁଥିବା ବେଳେ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଭାଗରେ ଏପରି ବ୍ୟବସ୍ଥା ନ ଥିବା ଦୁର୍ଭାଗ୍ୟଜନକ। ଏଣୁ ପ୍ରାଣିପାଳକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରାଣିଚିକିତ୍ସକମାନେ ବିନା ଦୋଷରେ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ୧୩୦୦ ଡାକ୍ତର ତୁଲାଉଥିବା ବେଳେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନ ଥିବା ସେମାନଙ୍କୁ ହତୋତ୍ସାହିତ କରିଛି। ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖୁ ୪୦% ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି, ଯାହାକି ପ୍ରାଣିଚିକିତ୍ସକ ମାନଙ୍କୁ ଅଧିକ ଚାପଗ୍ରସ୍ତ କରିଛି । ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯିବା, କାର୍ଯ୍ୟ ସମୟ ପରେ ପ୍ରାଇଭେଟ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକ ମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରାଯିବା ଇତ୍ୟାଦି ଯୋଗୁଁ ଆଜି ରାଜ୍ୟର ପ୍ରାଣୀ ଚିକିତ୍ସକ ମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି। ସେଥିପାଇ ପ୍ରାଣିପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ସେଥୂପାଇଁ ଆବଶ୍ୟକ କ୍ୟାଡ଼ର ପୁନର୍ଗଠନ ପାଇଁ ସଂଘ ଦାବି କରିଛି । ତତ୍ ସହିତ କେନ୍ଦ୍ରୀୟ ହାରରେ ଡିଏସିପି ଏବଂ ଏନପିଏ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ଯ ସଂଘ ତରଫରୁ ଦାବି କରାଯାଇଛି। ପରିଶେଷରେ କରିରଖିବାର ଅଛି ଯେ ଶିକ୍ଷାଗତ ଓ ବୃତ୍ତିଗତ ସମାନତା ଆଧାରରେ ପଞ୍ଚମ, ଷଷ୍ଠ ଓ ସପ୍ତମ ବେତନ କମିଶନ ସାଧାରଣ ବର୍ଗ ଡାକ୍ତର ଓ ପ୍ରାଣିଚିକିତ୍ସକ ମାନଙ୍କପାଇଁ ସମାନ ଦରମା ଓ ପଦୋନ୍ନତି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଅନ୍ୟରାଜ୍ୟମାନେ ଏପରି ସମାନତା ବଜାୟ ରଖୁଥିବା ବେଳେ ଓଡ଼ିଶା ସରକାର କ୍ରମାଗତ ଭାବରେ ଏଥିରେ ବ୍ୟତିକ୍ରମ କରିଚାଲିଛନ୍ତି । ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବହୁବାର ସଂଘ ସହିତ ଆଲୋଚନା କରି ଉପରୋକ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଦୃଷ୍ଟିଆ ପଦକ୍ଷେପ ନିଆ ନ ଯାଇ କେବଳ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି।ଜାନୁଆରୀ ୧୭ ତାରିଖ ମଧ୍ୟରେ ଯଦି ସରକାର ସେମାଙ୍କର ଅଭିଯୋଗ ଗୁଡିକୁ ବିଚାର କରି ଯଥୋଚିତ ବିଜ୍ଞପ୍ତ ପ୍ରକାଶ ନ କରନ୍ତି ତେବେ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରାଣିଚିକିତ୍ସକ ଏକକାଳୀନ ୧୮ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଜିଲ୍ଲା ସଂଘର ପ୍ରତିନିଧିମାନେ ଆଜି ଜଣାଇଛନ୍ତି ।


