ଜିଲ୍ଲାରେ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଣ୍ଟନ ମେଳା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଥମ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ୭୬ଜଣ (୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ) ଭିନ୍ନକ୍ଷମଙ୍କୁ ଭୁବନେଶ୍ୱରର ଆଲମିକୋ ସହାୟତାରେ ପ୍ରଦାନ କରାଯାଇଛି । ମୋଟ୍ ୩୨ଲକ୍ଷ ଟଙ୍କା ବ୍ୟୟରେ ୭୬ଜଣ ଶାରିରୀକ ଭିନ୍ନକ୍ଷମଙ୍କୁ ଗମନାଗମନ ପାଇଁ ଏହି ସାଇକେଲ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ମଡକର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ପୌର ଅଧ୍ୟକ୍ଷା ସରିତା ସାହୁ, ଆଲମିକୋର ରାଜ୍ୟମୁଖ୍ୟ ସ୍ମୃତି ମଲ୍ଲିକ, ଆଇଡିଏଫ୍‌ସି ଫାଷ୍ଟ୍ ବ୍ୟାଙ୍କର ରାଜ୍ୟ ମୁଖ୍ୟ ପ୍ରତୀକ ମହାନ୍ତି ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ କଲ୍ୟାଣ ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହାପରେ କେନ୍ଦ୍ରାପଡା ପୌର ପରିଷଦ ଦୃଷ୍ଟିବାଧିତ ବିଦ୍ୟାଳୟରେ ଦ୍ୱିତୀୟ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା । ଭାରତୀୟ ତୈଳ ନିଗମର ପାରାଦୀପସ୍ଥିତ ବିଶୋଧନାଗାର ତରଫରୁ ୧୦୬ଜଣ ଭିନ୍ନକ୍ଷମଙ୍କୁ ଏହି ତିନିଚକିଆ ସାଇକେଲ ପ୍ରଦାନ ନିମନ୍ତେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଋତୁରାଜ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ, ଆଇ.ଓ.ସି.ଏଲ୍ ପାରାଦୀପର ଡିଜିଏମ୍‌(ସିଏସ୍‌ଆର୍‌) ବି.ପି ସୁବୁଦ୍ଧି, ଆଲମିକୋର ରାଜ୍ୟ ମୁଖ୍ୟ ଶ୍ରୀ ମଲ୍ଲିକ, ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଣ୍ଟନ କରିଥିଲେ । ପ୍ରଥମେ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ କୋରୁଆ ପଲ୍ଲିଶ୍ରୀ ମହିଳା ସମିତିର ଦୁଇଜଣ ଅନ୍ତେବାସିନୀ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଜିଲ୍ଲାପାଳ ଭିନ୍ନକ୍ଷମଙ୍କ ପ୍ରତି ସମସ୍ତେ ସମ୍ବେଦନଶୀଳ ହେବା ସହ ବିଭିନ୍ନ କ୍ଷେତ୍ରରେ ଆଗକୁ ଯିବା ପାଇଁ ସହଯୋଗର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ । ଆଇ.ଓ.ସି.ଏଲ୍ ଏବଂ ଆଲମିକୋର ସହାୟତା ସବୁଦିନ କେନ୍ଦ୍ରାପଡା ଲୋକଙ୍କ ମନେ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଭିନ୍ନକ୍ଷମ ଝିଅ ଅଲିଭା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଭଜନରେ ନୃତ୍ୟ ପରିବେଷଣ କରିଥିଲେ । ଦୃଷ୍ଟିବାଧିତ ବିଦ୍ୟାଳୟର କର୍ମଚାରୀ, ବ୍ଲକ ଓ ପୈାର ପରିଷଦର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ