ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଚାଲିଛି ବାଲି ବ୍ୟବସାୟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ବାଲି ଜମାକରି ବ୍ୟବସାୟ ଚାଲିଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ରାସ୍ତାଟି ଅତ୍ୟନ୍ତ ଅଣ ଓସରିଆ ହୋଇଥିବା ବେଳେ ଖଡିଅଙ୍ଗ ଛକ ଠାରୁ ମୁଖ୍ୟ ଚିକିତ୍ସାଳୟ ରାସ୍ତାର ଉଭୟ ପାଶ୍ୱର୍ରେ କେତେକ ବ୍ୟକ୍ତି ସରକାରୀ ରାସ୍ତାକୁ ୫-୬ ଫୁଟ ମଡାଇ ଜବର ଦଖଲ କରିବା ସହିତ ଘରର ପାହାଚ ଓ ପାଚେରୀ ପ୍ରଭୃତି ନିର୍ମାଣ କରିଛନ୍ତି । ଫଳରେ ସେହି ରାସ୍ତାରେ ଦମକଳ, ଆମ୍ବୁଲାନ୍ସ, ସରକାରୀ ଯାନ ସମେତ ଭାରୀଯାନ ଗୁଡିକ ଯାତାୟତରେ ଘୋର ସମସ୍ୟା ସୃଷ୍ଟି ହେଉଥିବା ବେଳେ ବହୁ ସମୟରେ ଏହି ରାସ୍ତାରେ ଟ୍ରାଫିକ ଯାମ ରହୁଛି । ଏବେ ମୁଖ୍ୟ ଚିକିତ୍ସାଳୟ ଛକ ନିକଟରେ ବଡ ବଡ ହାଇୱା ଗାଡିରେ ବାଲି ଜମାକରି ଟ୍ରାକ୍ଟର ସେହି ବାଲିକୁ ବିକ୍ରୀକରି କେତେକ ଲୋକ ବ୍ୟବସାୟ କରୁଛନ୍ତି । ଏହା ଦ୍ୱାରା ରାସ୍ତା ଉପରେ ଟ୍ରାକ୍ଟର ଛିଡା ହୋଇ ରହୁଥିବାରୁ ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ଗାଡି ଗୁଡିକରେ ରୋଗୀ ଯାତାୟତ କରିପାରୁ ନାହାଁନ୍ତି । ରାସ୍ତା ଅବରୋଧ ଫଳରେ ବହୁ ସମୟରେ ସେହି ରାସ୍ତାରେ ରୋଗୀଙ୍କୁ ନେଉଥିବା ଗାଡି ଅପେକ୍ଷା କରି ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଜିଲ୍ଲା ପ୍ରଶାସନ ଏହି ରାସ୍ତା ଅବରୋଧକୁ ତୁରନ୍ତ ହଟାଇବା ପାଇଁ ସାଧାରଣରେ ଦାବି ହୋଇଛି ।