ଜୁନ ଚତୁର୍ଥ ସପ୍ତାହ ରବିବାର ସଟଡାଉନରେ ସହରବଜାର ଶୁନଶାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ)- ଜୁନମାସ ଚତୁର୍ଥ ସପ୍ତାହ ରବିବାର କରୋନା ଜନିତ ସଟଡାଉନରେ କେନ୍ଦ୍ରାପଡା ସହର ବଜାର ଶୁନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି । ଜଗତପୁର-ଚାନ୍ଦବାଲି ରାସ୍ତାର ଦୁହୁରିଆ ଠାରୁ ଗରାପୁର ପର୍ଯ୍ୟନ୍ତ କେଉଁଠିବି ଲୋକମାନଙ୍କୁ ରାସ୍ତାରେ ଦେଖିବାକୁ ମିଳିନଥିଲା । ସବୁଠିଁ ଖାଲି ଖାଁ ଖାଁ ଲାଗୁଥିଲା । ପୋଲିସର ଚଢାଉ ଫଳରେ ସଟଡାଉନ ସମୟରେ କେହିବି ସହରବଜାରର ରାସ୍ତାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିନଥିଲା । କେବଳ ପୋଲିସର ପେଟ୍ରୋଲିଂ ଗାଡି ଗୁଡିକ ସହର ରାସ୍ତାରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । ସହର ବଜାର ଏକ ରକମ ଜନଶୂନ୍ୟ ହୋଇଯାଇଥିଲା । କେବଳ କାଁ ଭାଁ ଜରୁରୀ କାର୍ଯ୍ୟରେ ଅଳ୍ପ କେତେକ ଲୋକ ନିଜ ଡ୍ୟୁଟି କରିବାକୁ କିମ୍ବା ଡାକ୍ତରଖାନାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଅମାନୀଆମାନେବି ପୋଲିସର ଚଢାଉ ଫଳରେ ଆଉ ସଟଡାଉନ ସମୟରେ ରାସ୍ତାକୁ ଆସୁନଥିବା ଦେଖାଯାଇଥିଲା । ଇଛାପୁର ରଥଦାଣ୍ଡ ସମେତ ସହରର ସାନ୍ତସାହି, କେଶପୁର ବଜାର, ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ, ନୂଆ ବସଷ୍ଟାଣ୍ଡ ଓ ତିନିମୁହାଣିଛକରେ ଟାଉନଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ପୋଲିସ ଫୋର୍ସ ସହିତ ଦାୟୀତ୍ୱ ନିର୍ବାହ କରୁଥିବା ଦେଖିବାକୁ ମିଳିଥିଲା ।


