ଜୁଲାଇ ୧ରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ କ୍ଲାସ୍
ଭୁବନେଶ୍ୱର: ଜୁଲାଇ ୧ ତାରିଖରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ କ୍ଲାସ ଆରମ୍ଭ ହେବ । କ୍ଲାସରୁମରେ ସାମାଜିକ ଦୂରତ୍ୱ ରଖି ଛାତ୍ରଛାତ୍ରୀ ବସିବେ । ମାସ୍କ ପିନ୍ଧି ଆସିବେ । ଜୁଲାଇ ୧୫ ପର୍ଯ୍ୟନ୍ତ କ୍ଲାସ ହେବ । ହେଲେ ତା ପୂର୍ବରୁ ଜୁନ ଶେଷ ସପ୍ତାହ ବେଳକୁ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ଆସି ପହଞ୍ଚିବେ । ଗ୍ରୀଷ୍ମ ଛୁଟି ଖୋଲିବା ପୂର୍ବରୁ ଜୁନ ୧୭ ତାରିଖ ପରଠାରୁ ବିଭାଗ ଗୁଡ଼ିକୁ ବିଶୋଧନ କରିବାକୁ ପିଜି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଛି । ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପ୍ରଫେସର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଭାଗୀୟ ମୁଖ୍ୟମାନେ ଯୋଗ ଦେଇଥିଲେ । ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ଆଗାମୀ ଦିନରେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ସଂଶୋଧିତ ଏକାଡେମିକ କ୍ୟାଲେଣ୍ଡରକୁ ଲାଗ ହେବ । ସେହିପରି ପୁରୁଣା ପ୍ରଣାଳୀରେ ପରୀକ୍ଷା ପରିଚାଳନା ହେବ । ହେଲେ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଜଗି ପରୀକ୍ଷା ହଲରେ ସିଟ ପଡ଼ିବ । ଚତୁର୍ଥ ସେମିଷ୍ଟାର ପରୀକ୍ଷା ଜୁଲାଇ ୨୦ ରୁ ଆରମ୍ଭ ହୋଇ ୩୧ ତାରିଖ ମଧ୍ୟରେ ସରିବ । ପ୍ରତି ବିଭାଗ ପିଜି କାଉନସିଲକୁ ସୂଚିତ କରି ପରୀକ୍ଷା ସୂଚୀ ପ୍ରସ୍ତୁତ କରିବ । ତେବେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ପିଜି ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହେବନି ।ପ୍ରଥମ ସେମିଷ୍ଟାର ହାରାହାରି ମାର୍କ ଅନୁସାରେ ଦ୍ୱିତୀୟ ସେମିଷ୍ଟାର ମାର୍କ ଦିଆଯିବ । ପରୀକ୍ଷା ସରିବା ପରେ ପୁଣି ଛାତ୍ରଛାତ୍ରୀମାନେ ହଷ୍ଟେଲ ଓ କ୍ୟାମ୍ପସ ଛାଡ଼ିବେ ।


