ଜୟପୁର ପୌରପରିଷଦର ଜରୁରୀକାଳୀନ ବୈଠକ

ଜୟପୁର,(ହେମନ୍ତ ପାଣିଗ୍ରାହୀ) : ଜୟପୁର ପୌରପାଳିକା ସମ୍ମିଳନୀ କକ୍ଷରେ ଗୁରୁବାର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ।ବୈଠକରେ ଜୟପୁର ଜଗନ୍ନାଥ ସାଗରକୁ ଦୂଷିତ ଜଳ ପ୍ରବେଶ ରୋକିବା ସହ ସହରର ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଡ୍ରେନ୍ ନିର୍ମାଣ ଓ ସୁଧାର କାର୍ଯ୍ୟ କରାଯିବା ନେଇ ଆଲୋଚନା ହୋଇଥିଲା।ସେହିପରି, ଜୟପୁର ପୁରୁଣା ତହସିଲ କାର୍ଯ୍ୟାଳୟ ପରିସରରେ ନୂତନ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପୂର୍ବରୁ ପାରିତ ହୋଇଥିବା ରେଜୋଲୁସନ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା । ପୌରାଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯିବା ପରେ ଆବଶ୍ୟକତା ଅନୁଯାୟୀ ବିଧାୟକ ପାଣ୍ଠିରୁ ୫ ଲକ୍ଷ, ସାଂସଦ ପାଣ୍ଠିରୁ ୫ ଲକ୍ଷ ଏବଂ ପୌରପାଳିକା ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟାଳୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ କରାଯିବା ନେଇ ଆଲୋଚନା ହୋଇଥିଲା।ଏଥିସହ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ଓ ଆବଶ୍ୟକ ମରାମତି, ସହରର ଆଲୋକୀକରଣ ବ୍ୟବସ୍ଥାର ସୁଧାର ଆଦି ବିଷୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସହର ଆଲୋକୀକରଣ ପାଇଁ ସାଂସଦ ପାଣ୍ଠିରୁ ୧୫ ଲକ୍ଷ ଓ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯିବା ନେଇ ପ୍ରସ୍ତାବ ରହିଥିଲା। ବୈଠକରେ ଜୟପୁର ସହରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ସହରରେ ଅତିରିକ୍ତ ସଫେଇ ଗାଡ଼ି ନିୟୋଜନ କରିବା ସହ ବିଭିନ୍ନ ୱାର୍ଡରେ ଟେଣ୍ଡର ପାଇଥିବା ଠିକା ସଂସ୍ଥାଗୁଡ଼ିକୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେବା ନେଇ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ, ସ୍ୱଚ୍ଛତା ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରକୃତ ସଂଖ୍ୟା ଓ ସେମାନଙ୍କୁ ସହଜରେ ଚିହ୍ନଟ କରିବା ବ୍ୟବସ୍ଥା ସମ୍ପର୍କରେ ବୁଧବାର ଜୟପୁର ବିଜେପି ପକ୍ଷରୁ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ବୈଠକରେ ସାଂସଦ ପ୍ରତିନିଧି ହସନ ମଦାନୀ, ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷା ବି. ସୁନିତା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ଏବଂ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ