ଝୁଲଣଯାତ୍ରା ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହିର ସାନରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ଗତ ୬ଦିନ ବ୍ୟାପି ଚାଲିଥିବା ମଲ୍ଲୀ ଝୁଲଣ ଯାତ୍ରା ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ଉତ୍ସବରେ ମଠର ମହନ୍ତ ମନଦନ ଗୋପାଳ ଦାସଜୀ ମହରାଜ ପ୍ରଥମେ ଶଙ୍ଖଧ୍ୱନୀ ଦେଇ ପ୍ରାରମ୍ଭ କରିଥିଲେ । ପରେ ମଙ୍ଗଳ ଆରତୀ, ଭଜନ, ସଂକୀର୍ତ୍ତନ, ଦାସକାଠିଆ ଆଦି ପରିବେଷଣ ହୋଇଥିଲା । ରାଧାକୃଷ୍ଣ ଯୁଗଳ ମୂର୍ତ୍ତୀକୁ ଦୋଳ ମେଲାଣରେ ସଂପୂର୍ଣ୍ଣ ମଲ୍ଲୀକା ପୁଷ୍ପରେ ସାଜ ସଜ୍ଜା କରାଯାଇ ଦୋଳିକୁ ଝୁଲାଇ ଦିଆଯାଇଥିଲା । ଏହି ଚୌତ୍ର ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ସଂକୀର୍ତ୍ତନକୁ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ, ରବିନାରାୟଣ ଚୌଧୁରୀ, ଜସମିନ ଗମାଙ୍ଗ, ବୀରକିଶୋର ପଟ୍ଟନନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଗଂଜାମ ଜିଲ୍ଲାରୁ ଆସିଥିବା ଦାସ କାଠିଆ ନାଚ ଲଳିତ ମୋହନା ଦାଶ ଅଦ୍ଭୁଦ ନୃତ୍ୟ ଗୀତ ସହ ମନୋରଂଜନ କରିଥିଲେ । ଶେଷରେ ଭଗବାନଙ୍କ ପ୍ରସାଦ ରାମନାଥ ସାହୁଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ଏହି ଝୁଲଣ ଯାତ୍ରାକୁ ମଧୂସୁଦନ ଦାସ ମହାରାଜଜୀ ଏବଂ ସେବକ ନାରାୟଣ ବାବୁ ପ୍ରମୁଖ ପରିଚାଳନା କରିଥିଲେ । ପାରଳା ସହରରେ ଏକ ମାତ୍ର ଝଲଣ ଯତ୍ରା ହୋଇଥିବା ଯୋଗୁଁ ଏହି ଝୁଲଣ ଯାତ୍ରା ଦେଖିବାପାଇଁ ବହୁ ଭକ୍ତ ବା ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।


