ଝୋଲାରୀରେ ବିଶ୍ୱ କନ୍ୟା ସନ୍ତାନ ଦିବସ ପାଳନ

ବୁଗୁଡା, (ଅନିଲ ମହାରଣା):ଅକ୍ଟୋବର ୧୧ ତାରିଖ ହେଉଛି ବିଶ୍ୱ କନ୍ୟା ସନ୍ତାନ ଦିବସ । କେତେକ ମଧ୍ୟ ଆଜିର ଦିନକୁ କନ୍ୟା ରତ୍ନ ଦିବସ ବୋଲି କହିଥାନ୍ତି। ଆଦ୍ୟାଶକ୍ତି ମଆଙ୍କ ଠାରୁ ଆମେ ସୃଷ୍ଟି। ମାଆ ଗର୍ଭରେ ଭ୍ରୁଣ ସୁରକ୍ଷିତ ଅବସ୍ଥାରେ ୯ ମାସରୁ ଉର୍ଦ୍ଧ୍ବ ସମୟ ରହିବା ପରେ ଭୂମିଷ୍ଠ ହୁଏ ସନ୍ତାନ। ଯଦି ପୁତ୍ର ସନ୍ତାନ ହୋଇଥାଏ ପରିବାରର ସମସ୍ତେ ଅତ୍ୟନ୍ତ ଖୁସି। ଆଉ ଯଦି କନ୍ୟା ସନ୍ତାନ ହୋଇଥାଏ ତେବେ ନିରାଶ ହୋଇ ଯାଆନ୍ତି ପରିବାର ଲୋକ। କନ୍ୟା ସନ୍ତାନ ପରିବାର ପାଇଁ ବୋଝ ବୋଲି ଜନ୍ମଦାତା ମାଆ ମଧ୍ୟ ଏହା ଭାବିଥାଏ। ସେ ନିଜେ ମହିଳା ହୋଇମଧ୍ୟ ଆଗ୍ରହ ଥାଏ ପୁତ୍ର ସନ୍ତାନ ପାଇଁ। ଯାହା ଫଳରେ ବିଶ୍ୱରେ ମହିଳା ଅନୁପାତ ହ୍ରାସ ପାଇବାରେ ଲାଗିଛି। ସେଥିପାଇଁ କନ୍ୟା ସନ୍ତାନ ପ୍ରତି ସୁରକ୍ଷା ଓ ଆଗ୍ରହ ପାଇଁ ଆମଦେଶ ଓ ରାଜ୍ୟରେ ବହୁ ଯୋଜନା ଓ ଆଇନ କାର୍ଯ୍ୟକାରୀ ହେଉଅଛି। କନ୍ୟା ସନ୍ତାନ, ପୁତ୍ର ସନ୍ତାନ ଅପେକ୍ଷା କୌଣସି ଗୁଣରେ କମ ନୁହଁନ୍ତି, ଏହି ବିଷୟରେ ଜନସଚେତନତା ପାଇଁ ବୁଗୁଡା ତାଲୁକା ସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋମବାର ଦିନ ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମ ପଞ୍ଚାୟତର ଝୋଲାରୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଏକ ସଭାର ଆୟୋଜନ ହୋଇଥିଲା। ଆଇନ ପରାମର୍ଶ ଦାତା ସାଇ ସନ୍ତୋଷିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଆଇନ ପରାମର୍ଶ ଦାତା କମିଟିର ସଦସ୍ୟ ସୁଶାନ୍ତ କୁମାର ସେଠୀ, ଆର୍ତ୍ତବନ୍ଧୁ ଖାଡଙ୍ଗା, ଅମର କୁମାର ପଟ୍ଟନାୟକ ଓ ଅଧିବକ୍ତା ବିଭୁଦତ୍ତ ନାୟକ ଯୋଗଦେଇ ଲିଙ୍ଗ ନିରୂପଣ, ଭ୍ରୁଣ ହତ୍ୟା, କନ୍ୟା ସନ୍ତାନଙ୍କୁ ସୁବିଧା ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ସେଠୀ ଓ ସଭାନେତ୍ରୀ ଭାଗ୍ୟଲତା ସ୍ବାଇଁଙ୍କ ସମେତ ୨୦ ଜଣରୁ ଉର୍ଦ୍ଧ୍ବ ବାଳିକା ଓ ମାଆ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ