ଠାକୁରଙ୍କ ମୁହଁରେ ମାସ୍କ
ଦେଶରେ ଏବେ ସବୁଠୁ ବଡ଼ ସମସ୍ୟା ବାୟୁ ପ୍ରଦୂଷଣ । ଦିଲ୍ଲୀ ଭଳି ପବିତ୍ର ନଗରୀ ବାରଣସୀରେ ମଧ୍ୟ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହୋଇଚାଲିଛି । ଲୋକେ ମାସ୍କ ପିନ୍ଧି ଘରୁ ବାହାରୁଛନ୍ତି । ବାୟୁମଣ୍ଡଳର ଭୟଙ୍କର ସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତମାନେ ଏବେ ଦେବାଦେବତାଙ୍କ ବିଷାକ୍ତ ବାୟୁଠୁ ଦୂରରେ ରଖିବାକୁ ଚେଷ୍ଟା କରୁଛ୍ତି । ସେଥିପାଇଁ ପ୍ରଦୂଷଣ ନିରୋଧ ମାସ୍କ ଦ୍ୱାରା ଶ୍ରଦ୍ଧାଳୁ ଦେବୀଦେବତାଙ୍କ ମୁହଁକୁ ଘୋଡ଼ାଇ ରଖିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସିଗରା ସ୍ଥିତ ପ୍ରସିଦ୍ଧ ଶିବ ପାର୍ବତୀ ମନ୍ଦିରରେ । ଏଠାରେ ମହାଦେବ, ଦେବୀ, ଦୁର୍ଗା, କାଳୀ ମାତା ଓ ସାଇବାବାଙ୍କୁ ମାସ୍କ ପିନ୍ଧାଯାଇଛି । ‘ଆସ୍ଥା ଓ ବିଶ୍ୱାସର ପେଣ୍ଠସ୍ଥଳୀ ବାରଣାସୀ । ଏଠାରେ ଶ୍ରଦ୍ଧାଳୁ ଦେବୀଦେବତାଙ୍କୁ ଜୀବନ୍ତ ମୂର୍ତ୍ତି ମନେ କରନ୍ତି । ଈଶ୍ୱର ମଧ୍ୟ ଆମ ଭଳି କଷ୍ଟ ପାଆନ୍ତି । ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ ଖରାଦିନେ ଦେବାଦେବତାଙ୍କ ଶରୀରରେ ଚନ୍ଦନ ଲେପ ଦିଆଯାଏ । ସେହିପରି ଶୀତରେ କମ୍ବଳରେ ଘୋଡ଼ାଇ ରଖାଯାଏ । ଠିକ୍ ସେହିଭଳି ପ୍ରଦୂଷଣରୁ ରକ୍ଷା କରିବା ନିମନ୍ତେ ଠାକୁରଙ୍କୁ ମାସ୍କ ପିନ୍ଧାଯାଇଛି’ବୋଲି ମନ୍ଦିର ପୁରୋହିତ କହିଛନ୍ତି । ମନ୍ଦିରରେ ପୂଜିତ ମୂର୍ତ୍ତିଙ୍କୁ ମାସ୍କ ପିନ୍ଧିବାର ଦେଖି ଅନେକ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି ।