ଡଃ ବୁଦ୍ଧଦେବ ମିଶ୍ରଙ୍କ କୃଷି ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ନେଇ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : କୃଷି ବିଶ୍ୱ ବିଦ୍ୟାଳୟର ପୂର୍ବତନ ଡିନ୍ ଓ ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ରଙ୍କ ଲିଖିତ ଇଂରାଜୀ ପୁସ୍ତକ “କ୍ୟୁଷ୍ଟ ଆଣ୍ଡ ଷ୍ଟ୍ରଗଲ”କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରି କହିଲେ ଯେ, ଡଃ ମିଶ୍ର ୩୫ ବର୍ଷର ଅଧ୍ୟାପନା ଜୀବନରେ ବହୁ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ସେ ଛାତ୍ରଙ୍କ ସପକ୍ଷବାଦୀ ଜଣେ ଅଧ୍ୟାପକ । ଏଣୁ କୃଷି ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କର ସେ ସର୍ବମାନ୍ୟ ମୁରବୀ ଥିଲେ । ସେ ତାଙ୍କ ପୁସ୍ତକରେ କୃଷି ବିଶ୍ୱବିଦ୍ୟାଳୟର କେତେକ ଘଟଣାବଳୀକୁ ଅତ୍ୟନ୍ତ ନିଚ୍ଛକ ଭାବେ ବର୍ଣ୍ଣନା କରିଛନ୍ତି ଯାହା ଉତ୍ତର ପିଢୀ ପାଇଁ କିଛି ସହାୟକ ହେବ । ମହାତ୍ମା ଗାନ୍ଧୀ ଅହିଂସା ଓ ଐତିହ୍ୟ ନ୍ୟାସ ପକ୍ଷରୁ ଆୟୋଜିତ ଏହି ଲୋକାର୍ପଣ ଉତ୍ସବ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ବିଶ୍ୱବିଦ୍ୟାଳୟରେ ଦୀର୍ଘ ସମୟ ଧରି ବିଭିନ୍ନ ପଦପଦବୀରେ ଥିବା ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ଡଃ ବୁଦ୍ଧଦେବ ମିଶ୍ର ଏଭଳି ଏକ ପୁସ୍ତକ ଲେଖି ପୂର୍ବଦିନ ମାନଙ୍କର ଇତିହାସକୁ କେବଳ ମନେ ପକାଇ ଦେଇ ନାହାଁନ୍ତି, ଛାତ୍ରମାନଙ୍କର ଅଦମ୍ୟ ଇଚ୍ଛାଶକ୍ତିକୁ ପୁନଃ ଜାଗୁରିିତ କରି ଦେଇଛନ୍ତି । ୬୩ ବର୍ଷ ମଧ୍ୟରେ କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ତାହା ଠିକଣା ଭାବେ ମୂଲ୍ୟାୟନ ହୋଇନାହିଁ । ପୁସ୍ତକର ଲେଖକ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ, ଛାତ୍ର ମଙ୍ଗଳ ଅଧିକାରୀ ଭାବେ ତାଙ୍କର ଯେଉଁ କର୍ତ୍ତବ୍ୟ ସେ ବିଭିନ୍ନ ସମୟରେ କରିଛନ୍ତି ତଥା ଛାତ୍ରଙ୍କ ମନସ୍ତତ୍ତ୍ୱକୁ ବୁଝି ସେ ଯେଉଁ କଲ୍ୟାଣପ୍ରଦ ନିଷ୍ପତ୍ତି ନେଇଥିଲେ ତାହା ଉତ୍ତର ପିଢୀ ପାଇଁ ଏକ ଦଲିଲ୍ ହୋଇ ରହିଛି । ଏହାକୁ ସର୍ବଜନାଦୃତ କରିବା ପାଇଁ ତାଙ୍କର ଏହା ଏକ ନମ୍ର ପ୍ରୟାସ । ଶେଷରେ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଜ୍ଞାନରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ