ଡିଜିଟାଲ ଇଣ୍ଡିଆ ଆତ୍ମ ନିର୍ଭର ଭାରତ ଆପ ଇନାଭେସନ ଚାଲେଞ୍ଜ
ନୂଆଦିଲ୍ଲୀ : ଭାରତୀୟ ଆପ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ମେଇଟି ଅଟଳ ଇନୋଭେସନ ମିଶନ ଏବଂ ନୀତି ଆୟୋଗ ମିଳିତ ଭାବେ ଭାରତୀୟ ପ୍ରଯୁକ୍ତି ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ ମାନଙ୍କ ନିମନ୍ତେ ଡିଜିଟାଲ ଇଣ୍ଡିଆ ଆତ୍ମନିର୍ଭର ଭାରତ ଆପ ଇନୋଭେସନ ଚାଲେଞ୍ଜ ସୃଷ୍ଟି କରିଛନ୍ତି । ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ ପ୍ରଯୁକ୍ତି ଜ୍ଞାନର ଉପଯୋଗ କରି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ବହୁ ଆକାଂକ୍ଷିତ ଡିଜିଟାଲ ଇଣ୍ଡିଆକୁ ସଫଳ କରିବାରେ ଏହା ସହାୟକ ହେବ । ଏଗୁଡିକ ଦୁଇଟି ଟ୍ରାକରେ ଚାଲିବ । ସେଥିରେ ପ୍ରଥମଟି ହେଉଛି ବର୍ତ୍ତମାନ ଥିବା ଆପଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ଦ୍ଵିତୀୟରେ ନୂତନ ଆପର ବିକାଶ । ପ୍ରଥମ ଟ୍ରାକର ଲକ୍ଷ୍ୟ ହେଲା ବର୍ତ୍ତମାନ ପ୍ରଚଳିତ ଶ୍ରେଷ୍ଠ ଭାରତୀୟ ଆପଗୁଡିକୁ ଚିହ୍ନଟ କରି ସେଗୁଡିକୁ ବିଶ୍ଵସ୍ତରୀୟ କରିବା । ଏହି ଇନୋଭେସନ ଚାଲେଞ୍ଜକୁ ସାକାର କରିବା ପାଇଁ ବିଭିନ୍ନ ପ୍ରୋତ୍ସାହନମୂଳକ ଓ ନଗଦ ପୁରସ୍କାରର ବ୍ୟବସ୍ଥା କରି ଏପରି ଭାରତୀୟ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ ଯାହାଫଳରେ ଦେଶର ନାଗରିକଙ୍କ ସମେତ ବିଶ୍ଵର ଅନ୍ୟାନ୍ୟ ବ୍ୟକ୍ତିମାନେ ମଧ୍ୟ ଉପକୃତ ହୋଇପାରିବେ । ଏହି ମନ୍ତ୍ର ଭାରତ ଓ ବିଶ୍ଵରେ ମେକ ଇନ ଇଣ୍ଡିଆର ସ୍ଵପ୍ନକୁ ସାକାର କରିବ । ଏହା ମାସକ ମଧ୍ୟରେ ସଂପୂର୍ଣ୍ଣ ହେବ । ଏଥିସହ ସରକାର ମଧ୍ୟ ଆତ୍ମନିର୍ଭର ଭାରତ ଆପ ଇନୋଭେସନ ଚାଲେଞ୍ଜ ପାଇଁ ଟ୍ରାକ ୨ ମଧ୍ୟ ଆରମ୍ଭ କରିବେ । ଏହା ଭାରତୀୟ କମ୍ପାନୀ, ଉଦ୍ୟୋଗୀ ଓ ଷ୍ଟାର୍ଟ ଅପଗୁଡିକୁ ଚିହ୍ନଟ କରି ସେମାନଙ୍କୁ ସଂପୂର୍ଣ୍ଣ ବିକାଶରେ ସାହାଯ୍ୟ କରିବ । ଏହି ଟ୍ରାକ ଦୀର୍ଘ ସମୟ ପାଇଁ କାର୍ଯ୍ୟ କରିବ, ଯାହାର ସବିଶେଷ ପୃଥକ ଭାବେ ଦିଆଯିବ । ଆତ୍ମନିର୍ଭର ଭାରତ ଆପ ଇନୋଭେସନ ଚାଲେଞ୍ଜ ଟ୍ରାକ-୧ ଆଠଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ ହୋଇଛି, ସରକାରୀ ଉତ୍ପାଦକତା ଓ ଘରୁ ବସି କାର୍ଯ୍ୟ, ସୋସିଆଲ ନେଟୱାର୍କିଙ୍ଗ, ଇ-ଲର୍ନିଙ୍ଗ, ମନୋରଞ୍ଜନ, ସ୍ୱାସ୍ଥ୍ୟ ଓ ସୁସ୍ଥତା, ବ୍ୟବସାୟ ଆଗ୍ରିଟେକ ଓ ଫିନଟେକ ସମେତ, ସମାଚାର, ଖେଳ ପ୍ରତ୍ୟେକ ଶ୍ରେଣୀରେ କେତେକ ଉପବିଭାଗ ମଧ୍ୟ ରହିବାର ସମ୍ଭାବନା ରହିଛି । ଆଜିଠାରୁ ଇନୋଭେସନ ଚାଲେଞ୍ଜ mygov.in/app-challenge ଉପଲବ୍ଧ ହେବ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଚଳିତ ମାସ ୧୮ତାରିଖ ରଖାଯାଇଛି । ଆବେଦନକାରୀମାନେ ସେମାନଙ୍କ ପ୍ରସ୍ତାବ ସମ୍ପର୍କୀୟ ତଥ୍ୟାବଳି ଅନଲାଇନରେ ପଞ୍ଜୀକୃତ କରି ମାଇ ଗଭ ପୋର୍ଟାଲ www.mygov.in.ରେ ଅପଲୋଡ କରିବେ । ଦରଖାସ୍ତଗୁଡିକୁ ପ୍ରତ୍ୟେକ ଟ୍ରାକ ପାଇଁ ଘରୋଇ ଓ ଶିକ୍ଷା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଜୁରି ମୂଲ୍ୟାୟନ କରିବେ । ମନୋନୀତ ଆପଗୁଡିକୁ ପୁରସ୍କାର ପ୍ରଦାନ କରାଯିବା ସହ ଜନସାଧାରଣଙ୍କୁ ଅବଗତ କରାଯିବ । ସରକାର ମଧ୍ୟ ଯୋଗ୍ୟ ବିବେଚିତ ଆପଗୁଡିକୁ ଗ୍ରହଣ କରି ସରକାରୀ ଇ-ମାର୍କେଟ (ଜେମ)ରେ ସ୍ଥାନିତ କରିବେ ।


