ଡିସେମ୍ବର ୪ ରୁ ୮ ହେବ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ଲୋକକଳା ମହୋତ୍ସବ ଡିସେମ୍ବର ୪ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ୫ଦିନ ଧରି ଛତ୍ରପୁର ଷ୍ଟାଡିୟମରେ ତାମ୍ପରା ମହୋତ୍ସବ, ଓରମାସର ପଲ୍ଲିଶ୍ରୀ ମେଳା-୨୦୧୯, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଓ ଗ୍ରାମୀଣ ଆବାସିକ ମେଳା ଅନ୍ତର୍ଭୂକ୍ତ ହେବ । ମେଳାକୁ ଡିଆରଡିଏ, ପର୍ଯ୍ୟଟ୍ଟନ ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ ଓ ଓରମାସ ପକ୍ଷରୁ ମିଳିତ ଭାବେ ଆୟୋଜନ କରିବେ । ମହୋତ୍ସବରେ ବଲିଉଡ୍ କଳାକାର ଆସ୍ଥା ଗିଲ୍ , ବାବା ସେହଗେଲ୍ ଏବଂ ଅଭିଜିତ୍ ମଜୁମଦାର, ଋତୁରାଜ ମହାନ୍ତି ଙ୍କ ସହ ବହୁ ଚର୍ଚ୍ଚିତ ଏବଂ ସୁନାମଧ୍ୱୀ ତାରକା ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ଆରମ୍ଭରୁ ଦୁଇ ଘଣ୍ଟା ବିଭିନ୍ନ ପାରମ୍ପରିକ ଲୋକକଳା, ନୃତ୍ୟ ଓ ସଂଗୀତ ପରିବେଷଣ ହେବା ପରେ ବଲିଉଡ୍ ଓ ଓଲିଉଡ ର ତାରକାମାନେ ନିଜ ନିଜର ନୃତ୍ୟ , ସଂଗୀତ ଏବଂ ବିଭିନ୍ନ କଳା ପରିବେଷଣ କରିବେ । ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟର କଳାକାରମାନେ ମଧ୍ୟ ସେମାନଙ୍କର ଲୋକକଳା ପରିବେଷଣ କରିବେ । ଏହାସହ ମହୋତ୍ସବରେ ସ୍ଥାନୀୟ କଳାକାର ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ସେମାନେ ମଞ୍ଚରେ ବିଭିନ୍ନ କଳା ପରିବେଷଣ କରିପାରିବେ । ଏହି ମହୋତ୍ସବ ଦ୍ୱିତୀୟ ଜିଲ୍ଲାସ୍ତରୀୟ ମହୋତ୍ସବ ଭାବେ ଅନୁଷ୍ଠିତ ହେବାକୁ ଯାଇଛି । ପ୍ରଥମ ଥର କରି ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଲୋକମାନଙ୍କ ମନୋରଂଜନ ନିମନ୍ତେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୨୦୧୮ ଡିସେମ୍ବର ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଠାରେ ଆରମ୍ଭ କରିଥିଲେ । ଚଳିତ ବର୍ଷ ଏହା ଦ୍ୱିତୀୟ ବର୍ଷରେ ପଦାର୍ପଣ କରୁଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ଆହୁରୀ ଅଧିକ ଅଧିକ ଚିତାକର୍ଷକ କରିବା ନିମନ୍ତେ ଗଂଜାମ ଜିଲ୍ଲପାଳ ଆହ୍ୱାନ ଦେଇଛନ୍ତି । ଏନେଇ ପୃଥକ୍ ପୃଥକ୍ ମହୋତ୍ସବ ବିଭିନ୍ନ କମିଟିର ସଭ୍ୟମାନଙ୍କ ସହ ଜିଲ୍ଲାପାଳ ବୈଠକ କରି ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାସହ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ସଙ୍କର ସ୍ୱାଇଁ ଏହି ମହୋତ୍ସବକୁ ଆକର୍ଷଣୀୟ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏହାର ପ୍ରଚାର ପ୍ରସାର ଏବଂ ଆଇନଶୃଙ୍ଖଳା ବ୍ୟବସ୍ଥା କିପରୀ ସୁଦୃଢ ରହିବ ସେଥି ନିମନ୍ତେ ଶୁକ୍ରବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସବ୍ କମିଟିର ଉପାଧ୍ୟକ୍ଷ ତଥା ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ କିପରୀ ସୂଚନା ପାଇପାରିବେ ସେଥୀ ନିମନ୍ତେ ପ୍ରଚାର କରାଯିବ ବୋଲି ଶ୍ରୀ ପୃଷ୍ଟି କହିଥିଲେ । ସମସ୍ତ ଗାଁ, ପଞ୍ଚାୟତ , ସହରାଞ୍ଚଳ ଏବଂ ଗାଡି ଗୁଡିକ ବ୍ୟାନର ପୋଷ୍ଟର ଲଗାଯିବ । ଲୋକମାନେ କିପରୀ ଆଗୁଆ ସୂଚନା ପାଇ ଏହି ମହୋତ୍ସବର ଆନନ୍ଦ ନେଇପାରିବେ ଏହାର ମୂଳ ଲକ୍ଷ୍ୟ ରହିବ ବୋଲି ସେ କହିଥିଲେ । ଟ୍ରାଫିକ ସମସ୍ୟା, ପାକିଂ ସମେତ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କ ମଧ୍ୟ ଆଲୋଚନା ହୋଇଥିଲ।। ବିଭିନ୍ନ ପତ୍ର ପତ୍ରିକା ବୈଦୁତିକ ଗଣମାଧ୍ୟମ ରେ କିପରୀ ପ୍ରସାର ହୋଇପାରିବେ ସେଥି ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲ।। ଏହି ବୈଠକରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ ଦୋରା, ଗଂଜାମ ଏମଭିଆଇ ସମୀର ଦଳାଇ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ, ଜିଲ୍ଲା କଳାକାର ସଂଗଠନର ସନ୍ତୋଷ ପାଢି, ପିଲ୍ଡ ପବ୍ଲିକସିଟି ଅଫିସର ମନ ମୋହନ ପାଢି, ଆସିଷ୍ଟାଣ୍ଡ ଫାୟାର ଅଫିର ବିଶ୍ୱନାଥ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ, ଉପକମିଟି ସଭ୍ୟ ବସନ୍ତ କୁମାର ମହାରଣା, ସନ୍ତୋଷ କୁମାର ପାଢି, ସରୋଜ କୁମାର ସାମଲ, ସମୀର ଆଚାର୍ଯ୍ୟ, ରାଧାଶ୍ୟାମ ଆଚାର୍ଯ୍ୟ,ନାରାୟଣ ମହାଙ୍କୁଡଙ୍କ ସମେତ କମିଟି ବହୁ ସଭ୍ୟମାନେ ଉପସ୍ଥିତ ଥିଲେ ।


