ଡେଟିଂ ସାଇଟ୍ ଜାରି କଲା ବିଉଟି ରେଟିଂ
ଡେଟିଂ ଆପ୍ କିମ୍ବା ୱେବ୍ସାଇଟ୍ ଲୋକଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ପାର୍ଟନର ଖୋଜିବାରେ ସାହାଯ୍ୟ କରେ। ଆଜିକାଲି ଲୋକଙ୍କ ମଧ୍ୟରେ ଡେଟିଂ ୱେବ୍ସାଇଟ୍ର କ୍ରେଜ୍ ବଢ଼ିବାରେ ଲାଗିଛି ଓ ଏହି ୱେବ୍ସାଇଟ୍ ଲୋକଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରକାରର ପ୍ୟାକେଜ୍ ବାହାର କରୁଛନ୍ତି। ଡେଟିଂ ୱେବ୍ସାଇଟ୍ରେ ରେଜିଷ୍ଟର କରିବାବେଳେ କେତେକ ସାଧାରଣ ସର୍ତ୍ତ ରହିଥାଏ। କିନ୍ତୁ ଏକ ଡେଟିଂ ୱେବ୍ସାଇଟ୍ ନିଜ ଅଜବ ଗଜବ ସର୍ତ୍ତ କାରଣରୁ ଚର୍ଚ୍ଚାକୁ ଆସିଯାଇଛି।
ଏହି ବିବାଦାସ୍ପଦ ଡେଟିଂ ୱେବ୍ସାଇଟ୍ରେ ରେଜିଷ୍ଟର କରିବା ଲାଗି ପ୍ରଥମ ସର୍ତ୍ତ ହେଉଛି, ଏଥିରେ କେବଳ ସୁନ୍ଦର ଲୋକମାନେ ଜଏନ କରିପାରିବେ। ଏହାବ୍ୟତୀତ ଏହି ୱେବ୍ସାଇଟ୍ରେ ନିଜର ବାର୍ଷିକ ବିଉଟି ଚାର୍ଟ ଜାରି କରିଛି। ଯେଉଁଥିରେ ଆୟରଲ୍ୟାଣ୍ଡର ପୁରୁଷ ଓ ଜର୍ମାନୀର ମହିଳା ସବୁଠାରୁ ଅସୁନ୍ଦର ବୋଲି କୁହାଯାଇଛି।
ଲସ୍ ଏଞ୍ଜେଲେସରେ ଡେଟିଂ ୱେବ୍ସାଇଟ୍ ‘ବିଉଟିଫୁଲ୍ପିପଲ ଡଟ୍ କମ୍’ ଆନୁଆଲ ବିଉଟି ଚାର୍ଟ ଜାରି କରି କହିଛି ଯେ ଏଥର ଚଳିତ ବର୍ଷ କେତେ ଲୋକ ତାଙ୍କ ୱେବ୍ସାଇଟ୍ରେ ଯୋଡ଼ି ହେବାକୁ ମଞ୍ଜୁରୀ ଦେଇଛି। ଏହି ୱେବ୍ସାଇଟ୍ରେ ପାଖାପାଖି ୫ ମିଲିଅନ ଲୋକ ଏ ପର୍ଯ୍ୟନ୍ତ ରେଜିଷ୍ଟର କରିଛନ୍ତି। ସୁନ୍ଦର ମାମଲାରେ ୨୧ଟି ଦେଶର ଲୋକଙ୍କ ଉପରେ କରାଯାଇଥିବା ଏହି ସର୍ଭେରେ ବ୍ରିଟିଶ ପୁରୁଷଙ୍କୁ ୧୮ତମ ସ୍ଥାନରେ ରଖାଯାଇଛି। ସେହିପରି ପୋଲାଣ୍ଡ ଓ ଆୟରଲ୍ୟାଣ୍ଡର ଲୋକ ୨୦ ଓ ୨୧ତମ ନମ୍ବରରେ ସ୍ଥାନ ମିଳିଛି। ଏହି ଦେଶର ଲୋକଙ୍କୁ କମ୍ ଆକର୍ଷକ ବୋଲି ଏହି ୱେବ୍ସାଇଟ୍ରେ କୁହାଯାଇଛି।
ଅନେକ ସୁନ୍ଦର ଅଭିନେତା ଥିବା ଆୟରଲ୍ୟାଣ୍ଡରେ କେବଳ ୬ ପ୍ରତିଶତ ପୁରୁଷଙ୍କୁ ଏହି ଇଣ୍ଟରନ୍ୟାସନାଲ ଡେଟିଂ ସାଇଟ୍ରେ ଜଏନ କରିବାକୁ ଅନୁମତି ମିଳିଛି। ସେହିପରି ଜର୍ମାନୀରେ ଆକର୍ଷକ ସୁପର ମଡେଲ୍ସ ଭରପୂର ଅଛନ୍ତି। ଏହାସତ୍ତ୍ବେ ସୁନ୍ଦର ମହିଳା ଶ୍ରେଣୀରେ ଜର୍ମାନୀ ସବୁଠାରୁ ନିମ୍ନରେ ରହିଛି। ଏହି ଡେଟିଂ ୱେବ୍ସାଇଟ୍ରେ ଯୋଡ଼ି ହେବା ପାଇଁ ଜର୍ମାନୀର କେବଳ ୧୩ ପ୍ରତିଶତ ମହିଳାଙ୍କ ଆପ୍ଲିକେସନ୍କୁ ଅନୁମତି ମିଳିଛି। ଏହି ୱେବ୍ସାଇଟ୍ରେ କୁହାଯାଇଛି ଯେ ପ୍ରଥମ ଥର ଆନୁଆଲ ବିଉଟି ଚାର୍ଟରେ ଆୟରଲ୍ୟାଣ୍ଡ ଲୋକଙ୍କୁ ଏତେ ଖରାପ ସ୍ଥାନ ମିଳିଛି। ସେହିପରି ପୁରୁଷଙ୍କ ତୁଳନାରେ ଆୟରଲ୍ୟାଣ୍ଡର ୩୫ ପ୍ରତିଶତ ମହିଳାଙ୍କୁ ଏହି ୱେବ୍ସାଇଟ୍ରେ ଯୋଡ଼ି ହେବା ଲାଗି ଅନୁମତି ମିଳିଛି।
ବିଶ୍ବର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରେ ଆୟରଲ୍ୟାଣ୍ଡର ମହିଳାଙ୍କୁ ଫ୍ରାନ୍ସ ଓ ଆମେରିକା ଉପରେ ଷଷ୍ଠ ସ୍ଥାନରେ ରଖାଯାଇଛି। ବିଶେଷକରି ଏଠାର ଡବଲିନ୍ର ଲୋକଙ୍କୁ ଅଧିକ ଆକର୍ଷକ ଭାବେ ଗ୍ରହଣ କରାଯାଇଛି। ସେହିପରି ପୁରୁଷଙ୍କ ବେଷ୍ଟ ଲୁକିଂ ତାଲିକାରେ ଜର୍ମାନୀକୁ ଫ୍ରାନ୍ସ ବରାବର ୧୨ତମ ସ୍ଥାନରେ ରଖାଯାଇଛି। ଡେଟିଂ ୱେବ୍ସାଇଟ୍ରେ ଜର୍ମାନୀର ୨୦ ପ୍ରତିଶତ ପୁରୁଷଙ୍କ ଆବେଦନକୁ ସ୍ବୀକାର କରାଯାଇଛି।
ଏହି ଡେଟିଂ ୱେବ୍ସାଇଟ୍ର ମ୍ୟାନେଜିଂ ଡାଇରେକ୍ଟର ଗ୍ରେଗ୍ ହଜ୍ କହିଛନ୍ତି ଯେ ହଲିଉଡ୍ରେ ଆୟରଲ୍ୟାଣ୍ଡର ଅନେକ ହ୍ୟାଣ୍ଡସମ୍ ପୁରୁଷ ଅଛନ୍ତି। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ତଥ୍ୟ ଅନୁସାରେ ଆୟରଲ୍ୟାଣ୍ଡର ପୁରୁଷ ବିଶ୍ବର ସବୁଠାରୁ ଅସୁନ୍ଦର ପୁରୁଷ ବୋଲି କୁହାଯାଇଛି। ଗ୍ରେଗ୍ କହିଛନ୍ତି ଯେ ସୁନ୍ଦର କ୍ଷେତ୍ରରେ ଆୟରଲ୍ୟାଣ୍ଡର ମହିଳାଙ୍କ ରାଙ୍କିଙ୍ଗରେ ପୂର୍ବାପେକ୍ଷା ବହୁତ ସୁଧାର ଆସିବାରେ ଲାଗିଥିବାବେଳେ ପୁରୁଷଙ୍କ ବିଉଟି ରାଙ୍କିଙ୍ଗରେ ହ୍ରାସ ପାଇବାରେ ଲାଗିଛି। ଗ୍ରେଗ୍ କହିଛନ୍ତି ଯେ ଡେଟିଂ ୱେବ୍ସାଇଟ୍ରେ ଆପ୍ଲାଏ କରୁଥିବା ଆୟରଲ୍ୟାଣ୍ଡର ଅଧିକାଂଶ ମହିଳାମାନେ ଡବଲିନ୍ ବାସିନ୍ଦା ଅଟନ୍ତି। ସେହିପରି ବେଲଫାଷ୍ଟ ଓ ଗାଲୱେର ପୁରୁଷ ଡେଟିଂ ୱେବ୍ସାଇଟ୍ରେ ଅଧିକ ଆପ୍ଲାଏ କରୁଛନ୍ତି।
୫ ଜଣରେ କେବଳ ଜଣେ ବ୍ୟକ୍ତିଙ୍କୁ ଏହି ଏଲିଟ୍ ୱେବ୍ସାଇଟ୍ରେ ଜଏନ୍ କରିପାରନ୍ତି। ଚାର୍ଟ ମୁତାବକ ନରୱେର ୭୦ ପ୍ରତିଶତରୁ ଅଧିକ ଓ ସ୍ବିଡନର ୬୨ ପ୍ରତିଶତ ମହିଳାଙ୍କୁ ଏହି ୱେବ୍ସାଇଟ୍ରେ ଜଏନ କରିବାକୁ ଅନୁମତି ମିଳିଯାଉଛି ବୋଲି ଗ୍ରେଗ୍ କହିଛନ୍ତି। ସେ ‘ବିଉଟିଫୁଲ୍ ଡଟ୍ କମ୍’ ୱେବ୍ସାଇଟ୍କୁ ୨୦୦୨ରେ ଆରମ୍ଭ କରିଥିଲେ। ଗ୍ରେଗ୍ କହିଛନ୍ତି ଯେ ତାଙ୍କ ୱେବ୍ସାଇଟ୍ ନିରପେକ୍ଷ ଭାବେ ସୁନ୍ଦରତାର ପରିଭାଷା କରୁଛନ୍ତି। ଏଠାରେ ସାକ୍ଷାତ ହୋଇଥିବା ହଜାର ହଜାର ଯୋଡ଼ିଙ୍କ ବିବାହ ହୋଇସାରିଛି। ସବୁଠାରୁ ବଡ଼ କଥା ହେଉଛି ଏହି ୱେବ୍ସାଇଟ୍ର ଆନୁଆଲ ବିଉଟି ଚାର୍ଟରେ ଭାରତର ମହିଳା ଜର୍ମାନୀ ଓ ତୁର୍କୀ ଉପରେ ୧୬ତମ ସ୍ଥାନରେ ଅଛନ୍ତି। ସେହିପରି ଭାରତର ପୁରୁଷ ୧୭ତମ ସ୍ଥାନରେ ଅଛନ୍ତି, ଯାହା ୟୁକେ, ରୁଷ, ପୋଲାଣ୍ଡ ଓ ଆୟରଲ୍ୟାଣ୍ଡ ଉପରେ ରହିଛି।


