ତିଲେ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ମାନିତ ହେଲେ ପ୍ରଫୁଲ୍ଲ ବାହୁବଳେନ୍ଦ୍ର
ଭୁବନେଶ୍ୱର, (ୱାଇଏନ୍ଏସ୍): ପାଇକ ସଂଗ୍ରାମର ଅନ୍ୟତମ ମହାନାୟକ ଶହୀଦ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଦ୍ୱିଶତ ବାର୍ଷିକୀ ସ୍ମୃତି ଚାରଣ ଦିବସ ତାଙ୍କର ଜନ୍ମ ମାଟି ଦାରୁଠେଙ୍ଗ ପିଣ୍ଡିକି ପଡ଼ିଆରେ ଥିବା ଶହୀଦ୍ ସ୍ମାରକୀ ସ୍ତମ୍ଭ ନିକଟରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି ପରଷଦ, ତାପଙ୍ଗ ଦଳବେହେରା ସ୍ମୃତି ପରିଷଦ, କଳିଙ୍ଗ ପାଇକ ସଂଗଠନ, ପିଣ୍ଡିକି ଯୁବ ସଂଗଠନ ତଥା ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ସ୍ମୃତିଚାରଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ମୃତିଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଅଧ୍ୟକ୍ଷତା କରିବା ସହିତ ଶ୍ରଦ୍ଧାବଚନାର୍ପଣ ପୂର୍ବକ ମତବ୍ୟକ୍ତ କଲେ ଯେ ଆଜି ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଶହୀଦ ଦିବସ । ଠିକ ଆଜିର ଦିନରେ ୨ଶହ ବର୍ଷ ତଳେ ସଂଧ୍ୟା ୫ଘଟା ସମୟରେ ପାଇକ ଜାତିର ମହାନ ବୀର ସୁଦକ୍ଷ ରଣ ସାଞ୍ଜୁକ, ପାଇକ ସଂଗ୍ରାମର ଅଗ୍ନୀସ୍ଫୁଲିଙ୍ଗ ତଥା ସମଗ୍ର ପାଇକ ଜାତିର ବୀରତ୍ୱ ଓ ସ୍ୱାଭିମାନର ପ୍ରତୀକ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨ଶହ ତମ ଜୟନ୍ତୀ ଓ ଶହୀଦ୍ ଦିବସ । ଇଂରେଜ କବଳରୁ ଦେଶମାତୃକାକୁ ରକ୍ଷା କରିବା ପାଇଁ ତାଙ୍କର ଅଦମ୍ୟ ବୀରତ୍ୱର ପରାକାଷ୍ଠା, ତୀକ୍ଷ୍ମ ବୁଦ୍ଧି ତଥା ସୁଦକ୍ଷ ରଣକୌଶଳ ପାଇଁ ଆଜି ସମଗ୍ର ଓଡ଼ିଆ ଜାତି ଗର୍ବିତ । ଏହିପରି ମହାନ ବ୍ୟକ୍ତିତ୍ୱଙ୍କୁ ଇଂରେଜୀମାନେ ଛଳନା ପୂର୍ବକ ହତ୍ୟା କରିଥିଲେ । ଆଜିର ଯୁବପୀଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଓଡ଼ିଶା ନାଗରିକ ମହାମଂଚର ପ୍ରଦୀପ ବିଶ୍ୱାଳ, ଯନ୍ତ୍ରୀ ଶିଶିର ନାୟକ, ବିଜୟ ପରିଡ଼ା, ରମେଶ ପାତାଲସିଂହ, ସହଦେବ ଜୟସିଂ, ସଂଯୋଜକ ନାରାୟଣ ଓଝା, ବି.ମୂରଲୀଧର, ଲକ୍ଷ୍ମୀଧର ବେହେରା, ନାରାୟଣ ଖୁଂଟିଆ, କବିରାଜ ବିଧାନଙ୍କୁ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂସ୍କୃତି ବିଭାଗ ଉପ ଶାସନ ସଚିବ ଲକ୍ଷ୍ମୀଧର ବେହେରା ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଦାୟାଦ ପ୍ରଫୁଲ୍ଲ ବାହୁବଳେନ୍ଦ୍ରଙ୍କୁ ସରକାରଙ୍କ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂପାଦକ ନିରୋଦ ଛୋଟରାୟ, ପବିତ୍ର ମୋହନ ବଳିଆରସିଂହ, ତପନ ଚକ୍ରବର୍ତୀ, ସୂର୍ଯ୍ୟକାନ୍ତ ହରିଚନ୍ଦନ, ମଙ୍ଗଳା ପ୍ରସାଦ ପ୍ରଧାନ, ବେଣୁ ହରିଚନ୍ଦନ, ମଙ୍ଗଳା ପ୍ରସାଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ଓ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ବିଶିଷ୍ଟ ପୂଜ୍ୟପୂଜା ପ୍ରାଣ, ସ୍ମୃତି ପରିଷଦର ଉପସଭାପତି ଅମରେନ୍ଦ୍ର ମହାପାତ୍ର ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


