ଥାଲାସେମିଆ ପୀଡ଼ିତ ବାଳକ ଶରୀରରେ ଏଚଆଇଭି ଭୂତାଣୁ

ରେମୁଣା, (ସରୋଜ ପଣ୍ଡା):ନିୟମିତ ରକ୍ତ ନେଉଥିବା ଥାଲାସେମିଆ ପୀଡ଼ିତ ୧୩ ବର୍ଷର ବାଳକ ଏଚଆଇଭି ସଂକ୍ରମିତ ହେବାକୁ ନେଇ ପିତା-ମାତାଙ୍କ ସମେତ ପରିବାର ଲୋକେ ଉଦବେଗ ପ୍ରକାଶ କରିଛନ୍ତି । ଜିଲା ରକ୍ତଭଣ୍ଡାରରେ ସଠିକ ପରୀକ୍ଷା କରାନଯାଇ ରକ୍ତ ଦିଆଯିବା କାରଣରୁ ତାଙ୍କ ପିଲା ଏଚଆଇଭି ସଂକ୍ରମିତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରେମୁଣା ବ୍ଲକ ବେଗମପୁର ଅଞ୍ଚଳର ୧୩ ବର୍ଷର ବାଳକ, ଜନ୍ମ ବେଳୁ ତାଙ୍କଠାରେ ରକ୍ତହୀନତା ରୋଗଥିବା ଜଣାପଡ଼ିଥିଲା । ଥାଲାସେମିଆ ରୋଗ ଭାବେ ଚିହ୍ନଟ ହେବା ପରେ ପରିବାର ଲୋକେ ତାଙ୍କୁ ୧୨ ବର୍ଷ ଧରି ନିୟମିତ ରକ୍ତ ଦେଇ ଆସୁଥିଲେ । ପୂର୍ବରୁ ତାଙ୍କ ପିତାମାତା ଭୂବନେଶ୍ୱରର ସମ ହସପିଟାଲରେ ନିୟମିତ ତାଙ୍କୁ ରକ୍ତ ଦେଉଥିବା ବେଳେ ଗତ ମାର୍ଚ୍ଚ ମାସଠାରୁ ସେ ବାଲେଶ୍ୱର ଜିଲା ରକ୍ତ ଭଣ୍ଡାରରୁ ରକ୍ତ ନେବା ଆରମ୍ଭ କରିଥିଲେ । ତେବେ ଜୁନ ମାସ ୩୦ ତାରିଖରେ ସେ ରକ୍ତ ନେବା ପରେ ରାତିରେ ତାଙ୍କୁ ଜ୍ୱର ଆସିଲା । ଡାକ୍ତର ପରାମର୍ଶ ଅନୁସାରେ ଔଷଧ ଖାଇଲେ ମଧ୍ୟ୍ୟ ଜ୍ୱର ଛାଡ଼ିନଥିଲା । ଫଳରେ ପରିବାର ଲୋକେ ତାଙ୍କୁ ସମ ହସପିଟାଲକୁ ନେଇଯାଇଥଲେ । ସେଠାରେ ରକ୍ତ ପରୀକ୍ଷା ପରେ ସେ ଏଚଆଇଭି ସଂକ୍ରମିତ ବୋଲି ଜଣାପଡ଼ିଥିଲା । ପୁଅର ଏଭଳି ଅବସ୍ଥା ପାଇଁ ତାଙ୍କ ପିତାମାତା ଜିଲା ରକ୍ତଭଣ୍ଡାରକୁ ଦାୟୀ କରିଛନ୍ତି । ଉଚିତ ପରୀକ୍ଷା ନ କରି ରକ୍ତ ଦିଆଯିବା ଯୋଗୁଁ ତାଙ୍କ ପୁଅ ଏଚଆଇଭି ପଜିଟିଭ ହୋଇଥିବା ସେମାନେ ଆରୋପ ଉଠାଇଛନ୍ତି । ତେବେ ଏ ସମ୍ପର୍କରେ ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ବାଲେଶ୍ୱରରେ ଉଚ୍ଚମାନର ପରୀକ୍ଷା (ନାକ ପିସିଆର) ପରେ ସାଧାରଣତଃ ରୋଗୀଙ୍କୁ ରକ୍ତ ଦିଆଯାଇଥାଏ । ଓଡ଼ିଶାରେ ବାଲେଶ୍ୱର ସମେତ ମୋଟ ୪/୫ ଜିଲାରେ ଏହି ପରୀକ୍ଷା ବ୍ୟବସ୍ଥା ରହିଛି । ଏଠି ସେଭଳି ତ୍ରୁଟି ହେବାର ସୁଯୋଗ ନାହିଁ । ଅନ୍ୟପକ୍ଷରେ ଗତ ମାର୍ଚ୍ଚ ମାସରୁ ସମ୍ପୃକ୍ତ ପିଲା ବାଲେଶ୍ୱରରେ ରକ୍ତ ନେଉଥିଲା । ଯେହେତୁ ଥାଲାସେମିଆ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ, ବିଭିନ୍ନ ସମୟରେ ତାଙ୍କଠାରେ ଥଣ୍ଡା, ଜ୍ୱର ତଥା ଅନ୍ୟାନ୍ୟ ରୋଗ ପରିଲକ୍ଷିତ ହୋଇଥାଏ । ସେ ବାହାରୁ କେଉଁଠି ଇଞ୍ଜେକ୍ସନ ନେଇ ଏଚଆଇଭି ସଂକ୍ରମିତ ହୋଇ ଥାଇପାରନ୍ତି ବୋଲି ବୋଲି ଡାକ୍ତର ଉପାଧ୍ୟାୟ ସ୍ପଷ୍ଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ