ବାହାନଗା ରେଳ ଦୁର୍ଘଟଣାରେ ୨ ଇଞ୍ଜିନିୟର ଓ ଜଣେ ଟେକନିସିଆନ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି ଓ ଇଂଜିନିୟର ମହମ୍ମଦ ଅମୀର ଖାଁ ଏବଂ ଟେକ୍ନିସିଆନ ପପୁ କୁମାର । ଦାୟିତ୍ୱର ଅବହେଳା ଓ ଅପରାଧର ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଏବେ ଭୁବନେଶ୍ୱର ସିବିଆଇ ଅଫିସରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଆସନ୍ତାକାଲି ସ୍ପେଶାଲ ସିବିଆଇ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି । ରେଲୱେ ସେଫଟି କମିଶନରଙ୍କ ତଦନ୍ତ ଭଳି ସିବିଆଇ ମଧ୍ୟ ଏହି ଭୟଙ୍କର ଦୁର୍ଘଟଣା ପାଇଁ ରେଳ କର୍ମଚାରୀଙ୍କୁ ଦାୟୀ କରିଛି । କିଛି ଦିନ ପୂର୍ବେ ରେଲୱେ ସେଫଟି କମିଶନରଙ୍କ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଥିଲା । ସେଥିରେ କୌଣସି ପ୍ରକାର ଯାନ୍ତ୍ରିକ ତୃଟି ପରିବର୍ତ୍ତେ କର୍ମଚାରୀଙ୍କ ଅବହେଳା ଓ ତ୍ରୁୃଟିକୁ ଗୁରୁତ୍ୱ ଦିଆଯାଇଥିଲା । ସିବିଆଇ ମଧ୍ୟ ସମାନ ଦୃଷ୍ଟିଭଙ୍ଗୀରେ ତଦନ୍ତ ସହ ୩ କର୍ମଚାରୀଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ ସହ ଗିରଫ କରିଛି । ପ୍ରକାଶ ଥାଉକି ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ନେବା ପରେ ସିବିଆଇ ଟିମ ଷ୍ଟେସନ ମ୍ୟାନେଜରଙ୍କ ସମେତ ୧୨ ଜଣ ରେଳ କର୍ମଚାରୀଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ପୃଥକ ପୃଥକ ଭାବେ ସମସ୍ତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ସିବିଆଇ ଟିମ ବାରମ୍ବାର ଦୁର୍ଘଟଣା ସ୍ଥଳ, ରିଲେ ରୁମ ଓ ବାହାନଗା ରେଳ ଷ୍ଟେସନ ପ୍ରଭୃତି ଅଂଚଳରେ ଯାଞ୍ଚ ଚଳାଇଥିଲା ସିବିଆଇ ଟିମ । ଏଥିରେ କେନ୍ଦ୍ରୀୟ ସାଇଣ୍ଟିଫିକ ଟିମ ମଧ୍ୟ ସହାୟତା କରିରଥିଲା । ଏମିତକି ଷ୍ଟେସନର ପ୍ୟାନେଲ ବୋର୍ଡ, ରିଲେ ରୁମ ଓ ସିଗନାଲ ରୁମ ପ୍ରଭୃତି ସିଲ ସହ ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ କରାଯାଇଥିଲା । ତଦନ୍ତ ରିପୋର୍ଟ ସ୍ପଷ୍ଟ ନହେବା ଯାଏ ବାହାନଗା ବଜାର ରେଳ ଷ୍ଟେସନରେ ଟ୍ରେନ ରହଣିକୁ ସ୍ଥଗିତ ରଖାଯାଇଥିଲା ।


