ଦରମା ନମିଳିବାରୁ ଟାଟା ଖଣିରେ ଶ୍ରମିକ ଆନ୍ଦୋଳନ

ଯୋଡ଼ା (ଯୁଗାଦ୍ଦ) ଖଣି ମଣ୍ଡଳର ବିଛାକୁଣ୍ଡିସ୍ଥିତ ଟାଟାଷ୍ଟିଲ ଖଣି ଶ୍ରମିକଙ୍କୁ ଦରମା ନମିଳିବାରୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଶ୍ରମିକମାନେ ଖଣି କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ବସିଥିଲେ । ଘଟଣାସ୍ଥଳରୁ ଜଣାପଡିଛି ଯେ, ଟାଟାଷ୍ଟିଲ ବିଛାକୁଣ୍ଡି ଖଣିରେ କୋରୋନେସନ ଇନଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ୍ (ସିଆଇପିଏଲ) ଖଣି ଠିକାଦାର ଭାବେ କାର୍ଯ୍ୟ କରୁଅଛି । ଉକ୍ତ ଠିକାସଂସ୍ଥାରେ ସ୍ଥାନୀୟ ଅଂଚଳର ପ୍ରାୟ ୫୦୦ ଶ୍ରମିକ କାର୍ଯ୍ୟରତ ଅଛନ୍ତି । ପ୍ରତିମାସ ୭ ତାରିଖ ରେ ଶ୍ରମିକମାନଙ୍କୁ ସେମାନଙ୍କର ଦରମା ପ୍ରଦାନ କରାଯିବାର ସମୟସୀମା ଧାର୍ଯ୍ୟ ହୋଇଥିଲେ ହେଁ, ଠିକାସଂସ୍ଥା ପକ୍ଷରୁ ଉକ୍ତ ଧାର୍ଯ୍ୟ ସମୟ ମଧ୍ୟରେ ଦରମା ପ୍ରଦାନ କରାନଯାଇ ବିଳମ୍ବରେ ଦରମା ପ୍ରଦାନ କରାଯାଉଛି । ଫଳରେ ଶ୍ରମିକମାନେ ଦରମା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରମିକ .. ଅଭିଯୋଗ କରିଛନ୍ତି । ଘର ଚଳାଇବା ଓ ଗୁଜୁରାଣ ମେନ୍ଟାଇବା କଷ୍ଟକର ହୋଇପଡୁଛି । ଏନେଇ ବାରମ୍ବାର କମ୍ପାନୀ କର୍ତୁପକ୍ଷ ଓ ଠିକାସଂସ୍ଥାକୁ ଜଣାଉଥିଲେ ସୁଦ୍ଧା କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଏହି ଆନ୍ଦୋଳନ କରିଥିବା ସେମାନେ ପ୍ରକାଶ କରିଛନ୍ତି । ସେମାନଙ୍କର ଦରମାକୁ ସଂପୃକ୍ତ ଠିକା ସଂସ୍ଥା ନଦେଇ ସିଧାସଳଖ ଭାବେ ଟାଟା କମ୍ପାନୀ ଦେଉ ବୋଲି ସେମାନେ ଦାବି କରିଥିଲେ । ଏତଦବ୍ୟତିତ ଅନ୍ୟାନ୍ୟ ଛୁଟି ପଇସା ଓ ଭତା ପ୍ରଭୃତି ଟାଟା କମ୍ପାନୀ ସିଧା ସଳଖ ଦେଉ ବୋଲି ସେମାନେ ଦାବି କରିଥିଲେ । ଶ୍ରମିକଙ୍କ ମଜୁରିରେ ଏହି ଠିକାସଂସ୍ଥା ବାରମ୍ବାର ଅନିୟମିତତା କରୁଥିଲେ ହେଁ , ସଂପୃକ୍ତ କମ୍ପାନୀକୁ ଠିକା ଦେଇଥିବା ପ୍ରିନସପାଲ ଏମ୍ପପ୍ଲୋୟର ଟାଟା କମ୍ପାନୀ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏନେଇ ଠିକାସଂସ୍ଥା କୋରୋନେସନ କମ୍ପାନୀର ଅଧିକାରୀ ଦୁଷ୍ମନ୍ତ କୁମାର ପାତ୍ର ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମଙ୍ଗଳବାର ଏହି ସବୁ ସମସ୍ୟାର ସମାଧାନ ଅପରାହ୍ନ ସୁଧା କରାଯିବ । ଏ ସମ୍ପର୍କରେ ଟାଟା କମ୍ପାନୀର ଅଧିକାରୀ ବ୍ରହ୍ମାନନ୍ଦ ସେନାପତି ଖବରଦାତାମାନଙ୍କ ପ୍ରଶ୍ନକୁ ଏଡାଇ ଯାଇ ଧାରଣାକାରୀ ଶ୍ରମିକଙ୍କ କହିଥିଲେ ଯେ, ବୁଧବାର ସୁଧା ଦରମା ଶ୍ରମିକଙ୍କ ଏକାଉନ୍ଟ ରେ ଜମା ହୋଇଯିବ । ହେଲେ ଶ୍ରମିକମାନେ ମୌଖିକ ଭାବେ ନୁହେଁ , ଲିଖିତ ଆକାରରେ ଦିଅନ୍ତୁ ବୋଲି କହିବାରୁ ଟାଟା କମ୍ପାନୀର ଅଧିକାରୀ ସେନାପତିଙ୍କ ଉପସ୍ଥିତି ଥିବା ଅନ୍ୟ ଅଧିକାରୀ ମାନେ ଛତ୍ରଭଙ୍ଗ ଦେଇ ଅଫିସ ଭିତରକୁ ପଶି ଯାଇଥିଲେ । ଏପରିକି ଖବରଦାତାଙ୍କର ଦରମା ବିଳମ୍ବର ପ୍ରଶ୍ନର ଉତର ନଦେଇ , ଏହା ଏକ ପ୍ରୋଗ୍ରାମ୍ ନୁହେଁ ବୋଲି କହି ଘରୋଇ ସୁରକ୍ଷା କର୍ମୀଙ୍କୁ ଖବରଦାତା ମାନଙ୍କୁ ନଛାଡିବା ପାଇଁ କହିଥିଲେ । ଅନ୍ୟ ପକ୍ଷରେ ଟାଟା ଷ୍ଟିଲ କମ୍ପାନୀ ପକ୍ଷରୁ ଇମେଲ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଶ୍ରମିକଙ୍କ ଦରମା ନେଇ ଯେଉଁ ଆନ୍ଦୋଳନ ହୋଇଛି ଏହାର ସମାଧାନ ପାଇଁ କମ୍ପାନୀର ଭେଣ୍ଡର କୋରୋନେସନ ଠିକା ସଂସ୍ଥା ସହିତ ଆଲୋଚନା କରିଛି । ଠିକା ନିୟମ ଅନୁଯାୟୀ ଟାଟା କମ୍ପାନୀ ତାର ସମସ୍ତ ନିୟମ ପୁରଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ