ଦର ବୃଦ୍ଧି ବିରୁଦ୍ଧରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ରାଜ୍ୟ ବିଜୁ ମହିଳା ଜନତା ଦଳ ଡ଼ାକରାରେ ସାରା ରାଜ୍ୟରେ ଇନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଡାଲି ପ୍ରଭୃତି ନିତ୍ୟବ୍ୟବହୃତ ଜିନିଷର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ଜିଲ୍ଳାପାଳ, ଉପଜିଲ୍ଲାପାଳ ଓ ବିଡ଼ିଓ ଙ୍କ ଜରିଆରେ ଭାରତର ମହାମାନ୍ୟ ରାଷ୍ଟ୍ରପତି ମହୋଦୟଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରେରଣ ପାଇଁ ନିଷ୍ପତ୍ତି ପ୍ରକାରେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଓ ବୁଗୁଡା ବ୍ଲକରେ ଶହ ଶହ ମହିଳା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଥିଲେ। ପୋଲସରା ବ୍ଲକରେ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଝୁନୁ ଦାସ, ବ୍ଳକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ଓ ନଗର ସଭାନେତ୍ରୀ ବିଷ୍ଣୁପ୍ରିୟା ସାହୁଙ୍କ ନେତୃତ୍ୱରେ ଶହ ଶହ ମହିଳା କର୍ମୀ କେନ୍ଦ୍ର ସରକାରଙ୍କ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦର୍ଶାଇ ପ୍ଲାକକାର୍ଡ ଧରି ଶୋଭାଯାତ୍ରାରେ ଯାଇ ପୋଲସରା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଘରୋଇ ଇନ୍ଧନ ଗ୍ୟାସ ସିଲିଣ୍ଡର ପ୍ରାୟ ଏକ ହଜାରରେ ପହଞ୍ଚି ଥିବା ବେଳେ ନିତ୍ୟ ବ୍ୟବହୃତ ଜିନିଷ ଆକାଶ ଛୁଆଁ ହୋଇଥିବା ପ୍ରକାଶ କରିଥିଲେ। ମହାମାନ୍ୟ ରାଷ୍ଟ୍ରପତି ମହୋଦୟ ଦରଦାମ ନିୟନ୍ତ୍ରଣ ପାଇଁ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ମହାମାନ୍ୟ ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ଦେଶ୍ୟରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ସେହିପରି ବୁଗୁଡା ବ୍ଲକରେ ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି, ମହିଳା ବିଜେଡି ବ୍ଲକ ସଭାନେତ୍ରୀ ଜେ. ଶାନ୍ତି କୁମାରୀ ଦୋରା ଓ ନଗର ସଭାନେତ୍ରୀ ମନ୍ଦାକିନୀ ସାହୁ ଙ୍କ ନେତୃତ୍ୱରେ ଶହ ଶହ ମହିଳା ବିଜେଡି କର୍ମୀ ଏକ ଶୋଭାଯାତ୍ରାରେ ଯାଇ ବୁଗୁଡା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ଙ୍କ ସମେତ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ସମ୍ପାଦକ ହରିହର ବିଷୋୟୀ, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ମାନସ ରଞ୍ଜନ ପ୍ରଧାନ, ସୁଶାନ୍ତ କୁମାର ଆପଟ, ବସନ୍ତ କୁମାର ସାମଲ, ସୁନୀଲ କୁମାର ପାଢୀ ସମେତ ବହୁ ବିଜେଡି ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ । ଉଭୟ ବ୍ଲକରେ ଶାନ୍ତି ଶୃଙ୍ଖଳା ସହ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ