ଶ୍ରମିକ ସଙ୍ଗଠନ ‘ଏଆଇଟିୟୁସି’ର ପ୍ରତିଷ୍ଠା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : ଶ୍ରମିକ ସଙ୍ଗଠନ ‘ଏଆଇଟିୟୁସି’ ୧୦୧ତମ ପ୍ରତିଷ୍ଠା ଦିବସ ବାଲେଶ୍ୱର ଜିଲା କମିଟି ତରଫରୁ ରବିବାର ପାଳିତ ହୋଇଯାଇଛି । ଏଆଇଟିୟୁସିର ଲାଲ୍ ପତାକାକୁ ଜିଲା ସଭାପତି ଭାଗବତ ପ୍ରତିହାରୀ ଉତ୍ତୋଳନ କରିଥିଲେ । ପରେ ଉଠା ଜଳସେଚନ କର୍ମଚାରୀ ଭବନରେ ଆୟୋଜିତ ସଭାରେ ସେ ଅଧ୍ୟକ୍ଷତା କରିଥିଲେ । ସଙ୍ଗଠନର ରାଜ୍ୟ ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ପ୍ରତିରକ୍ଷା କର୍ମଚାରୀ ନେତା ରବି ନାରାୟଣ ମିଶ୍ର, ଅଙ୍ଗନୱାଡ଼ି କର୍ମୀ-ସହାୟିକା ସଂଘର ସମ୍ପାଦିକା ଗୌରୀ ଦାସ, ଡାକ କର୍ମଚାରୀ ସଂଘ ନେତା ଅଜୟ ଦାସ, ରିକ୍ସା ଚାଳକ ସଂଘର ସମ୍ପାଦକ ସେଖ ସଲାଉଦ୍ଦିନ, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ବିଦ୍ୟୁତ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ଉଠା ଜଳସେଚନ କର୍ମଚାରୀ ସଂଘର ସହ ସମ୍ପାଦକ ଶରତ ଚନ୍ଦ୍ର ଦଳାଇ, ଏଆଇଟିୟୁସିର ଉପଦେଷ୍ଟା ନିରଞ୍ଜନ ରାଉତ ଓ ସଂପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଏହି ସଭାରେ ଯୋଗଦେଇ ସଙ୍ଗଠନର ଗୌରବମୟ ୧୦୦ବର୍ଷର ଇତିହାସ ଉପରେ ଆଲୋକପାତ କରିଥିଲେ । ଦେଶର ଶ୍ରମିକ, କୃଷକ ଓ ମେହନତି ମଣିଷଙ୍କ ସ୍ୱାର୍ଥ ବିରୋଧରେ କେନ୍ଦ୍ରସରକାର ବିଭିନ୍ନ କଳା ଆଇନ ପ୍ରଣୟନ କରିବା ସହ ଦରଦାମ୍ ବୃଦ୍ଧି, ନିଯୁକ୍ତି ହ୍ରାସ, ଶ୍ରମିକ ଛଟେଇ ଓ ଦେଶର ଗଣତନ୍ତ୍ରକୁ ହତ୍ୟା କରିବାକୁ ଯେଉଁ ଉଦ୍ୟମ ଚଳାଇଛନ୍ତି ବୋଲି ବକ୍ତାମାନେ ଆରୋପ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଜନବିରୋଧି ନୀତି ବିରୋଧରେ ଶ୍ରମିକ ଶ୍ରେଣୀ ଏକ ହୋଇ ସଂଗ୍ରାମ ଜାରି ରଖିବାକୁ ସେମାନେ ଆହ୍ୱାନ ଦେଇଥିଲେ । ‘ଦୁନିଆର ମଜଦୁର ଏକ ହୁଅ’ ଆହ୍ୱାନ ସାକାର ହେଲେ ଶୋଷଣହୀନ ସମାଜ ପ୍ରତିଷ୍ଠା ସମ୍ଭବ ହୋଇପାରିବ ବୋଲି ସଭାପତି ଶ୍ରୀ ପ୍ରତିହାରୀ ମତପ୍ରକାଶ କରିଥିଲେ । ଯତୀନ୍ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମନ୍ମଥ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶଶିକାନ୍ତ ବେହେରା, ପୁରସ୍ତମ ବେହେରା, ସର୍ବେଶ୍ୱର ହାଁସଦା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ