ଦିଗପହଣ୍ଡିରେ କରୋନା ପରିସ୍ଥିତି ଅସମ୍ଭାଳ: ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି, ସ୍ଥିତି ନ ସୁଧୁରିଲେ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ଦିଗପହଣ୍ଡି ଅଞ୍ଚଳରେ ଥିବା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ରୋଗୀଙ୍କ ସ୍ୱାସ୍ଥ୍ୟସେବାକୁ ନେଇ ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ଦିଗପହଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସହର ସମେତ ଆଖପାଖ ଗ୍ରାମାଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିପଡିଛି । ସରକାରୀ ଡାକ୍ତରଖାନା ମାନଙ୍କରେ ସ୍ୱାସ୍ଥ୍ୟସେବା କୁ ନେଇ ପ୍ରାସାସନିକ ଅବହେଳା ଜନସାଧାରଣଙ୍କୁ ବାଧୁଛି। ଯାହାକୁ ନେଇ ଦିଗପହଣ୍ଡି ଅଞ୍ଚଳରେ ଏକ ପ୍ରକାର ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ସ୍ଥାନୀୟ କଂଗ୍ରେସ , ସିପିଆଇ ଓ ସିପିଆଇ (ଏମ୍) ର ଦଳୀୟ ନେତୃବୃନ୍ଦ ଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ତଥା ବିଧାନସଭା ବାଚସ୍ପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସିପିଆଇ(ଏମ୍) ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ,ସିପିଆଇ ରାଜ୍ୟ ପରିଷଦ ସଦସ୍ୟ ଅଳକ ନାଥ ମିଶ୍ର ଏବଂ ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା ଜଣାଇଛନ୍ତି । କରୋନା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୨ ଡାକ୍ତର , ଫାର୍ମାସିଷ୍ଟ ଓ ୪ କର୍ମଚାରୀ ଆକ୍ରାନ୍ତ ହେବାପରେ ଆଉଟ ଡୋର ରେ ରୋଗୀସେବା ଗତ ୧୦ ଦିନ ହେଲା ବନ୍ଦ ରହିଛି। ଘରେ ଘରେ ଲୋକେ ଜ୍ବରରେ ଆକ୍ରାନ୍ତ ହୋଇପଡ଼ି ଛନ୍ତି।ସମସ୍ତେ କରୋନା ରୋଗୀ ନୁହନ୍ତି। ସାଧାରଣ ଲୋକ ତାଙ୍କ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ଗଲେ ସେଠାରେ ଥିବା ଡାକ୍ତରମାନେ ରୋଗୀମାନଙ୍କର ଚିକିତ୍ସା କରିବା ଦୂରର କଥା ରୋଗୀଙ୍କୁ ରୋଗ ସମ୍ପର୍କରେ କେବଳ ପଚାରି ଦେଇ ଏକ ସାଦା କାଗଜରେ ମେଡ଼ିସିନ ଲେଖି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଉପରକୁ ଫୋପାଡି ଦିଆଯାଉଥିବା ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ସ୍ଥାନୀୟ ପ୍ରଶାସନ ସହର ଓ ଗ୍ରାମାଞ୍ଚଳ ମାନଙ୍କରେ ଲକ୍ ଡାଉନ୍ , ଶଟ ଡାଉନ୍ କଟକଣା ଜାରି କରିଥିବା ବେଳେ ମେଡିକାଲ ଷ୍ଟୋର ମାନଙ୍କରେ ଔଷଧ ମିଳୁନାହିଁ ଏବଂ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାହାଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ବିଭିନ୍ନ ଗଣ ମାଧ୍ୟମରେ କେବଳ ବିବୃତ୍ତି ପ୍ରଦାନ କରି ଲୋକଙ୍କୁ ସହଯୋଗ ନକରି ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ଆବଶ୍ୟକ ଚିକିତ୍ସା ହୋଇ ନପାରି କରୋନା ରେ ପ୍ରତିଦିନ ସାଧାରଣ ଲୋକେ ମୃତ୍ୟୁ ବରଣ କରୁଛନ୍ତି। ଏଭଳି ସ୍ଥିତିରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ସମସ୍ତପ୍ରକାର ସାଧାରଣ ରୋଗୀଙ୍କୁ ଚିକିତ୍ସା ବ୍ୟବସ୍ଥା କରାଯାଉ। କରୋନା ସନ୍ଦେହ ହେଲେ ତୁରନ୍ତ ପରୀକ୍ଷା କରାଇ ଚିକିତ୍ସା ର ବ୍ୟବସ୍ଥା କରାଯାଉ। ଏସବୁ ପ୍ରତି ଗଞ୍ଜାମ ଜିଲା ପ୍ରଶାସନ ଦୃଷ୍ଟି ନଦେଲେ ସ୍ଥାନୀୟ ଜନ ସାଧାରଣ ଏହାକୁ କଦାପି ବରଦାସ୍ତ କରିବେ ନାହିଁ ଆବଶ୍ୟକ ହେଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ପାଇଁ ବିଭିନ୍ନ ରାଜନୈତିକ ଦଳ ର ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ