ଦିଗପହଣ୍ଡି ରେ ବିଜେପି ସଂଯୁକ୍ତ ମୋର୍ଚ୍ଚାର ସାଙ୍ଗଠନିକ ସମାବେଶ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଚନ୍ଦ୍ରଚୁଡେଶ୍ୱର ଶୈବ ପୀଠ ପ୍ରାଙ୍ଗଣରେ ରବିବାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ସଂଯୁକ୍ତ ମୋର୍ଚ୍ଚା ସମାବେଶ ଅନୁଷ୍ଠିତ ହୋଇଯାଇଛି । ସମାବେଶ ରେ ବହୁ ସଂଖ୍ୟକ ପୁରୁଖା କର୍ମୀ ଓ ସଂଗଠକ ଅନୁପସ୍ଥିତ ଥିବାରୁ ଦଳୀୟ କନ୍ଦଳ ପଦାରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଛି। ସମାବେଶରେ ବିଜେପି ଜିଲା ସଭାପତି ବିଭୂତି ଭୂଷଣ ଜେନା ଅଧ୍ୟକ୍ଷତା କରିଥିଲେ। ଆୟୋଜିତ ସମାବେଶ ରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ , ଜିଲା ଉପସଭାପତି ସୁବାଷ ସାହୁ , ପରେଶ ଚନ୍ଦ୍ର ରଥ , ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ , ରାମ ନାୟକ , ପ୍ରଭାରୀ ରାଜେଶ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସଂଗଠନକୁ ଅଧିକ ଦୃଢୀଭୂତ କରିବା ସହ ତୃଣମୂଳ ସ୍ତରରେ ଦଳୀୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ୱୟ ରଖି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦଳୀୟ ନେତୃବୃନ୍ଦ ଉଦବୋଧନ ଦେଇଥିଲେ। ସଂଯୁକ୍ତ ମୋର୍ଚ୍ଚାକୁ ଅଧିକ କ୍ରିୟାଶୀଳ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥି ବୃନ୍ଦ ମତପୋଷଣ କରିଥିଲେ । ଏଥିସହ ଯେଉଁ କର୍ମୀ ଦଳରେ ରହି ବିଶୃଙ୍ଖଳା ସୃଷ୍ଟି କରେ ତାହାକୁ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯିବ ନାହିଁ ବୋଲି ସଭାରେ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଦିଗପହଣ୍ଡି ନଗର ସଭାପତି ପ୍ରଶାନ୍ତ ପୂଜାରୀ , ସିମାଞ୍ଚଳ ସାସମଲ , ରଘୁନାଥ ଗୈାଡ , ନିରଞ୍ଜନ ଜେନା , ସୁଦାମ ବେହେରା , ଏ . ନନ୍ଦ କିଶୋର ଙ୍କ ସମେତ ବହୁ ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ବିଜେପି କାର୍ଯ୍ୟକର୍ତ୍ତା ଭବାନୀ ଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଏହି ସମାବେଶରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଗାଁ ଗାଁ ବୁଲି ଲୋକଙ୍କ ବିଭିନ୍ନ ସମସ୍ଯସମସ୍ଯା ବୁଝି ପ୍ରଶାସନର ଦୃଷ୍ଟି କୁ ଆଣୁଥିବା ବିଜେପି ନେତା ଇଂ. ଉତ୍ତମ କୁମାର ପାଣିଗ୍ରାହୀଙ୍କୁ ନିମନ୍ତ୍ରିତ କରାଯାଇନଥିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ଜଣାପଡିଛି ।


