ଦିବ୍ୟାଙ୍ଗଙ୍କ ପାଇଁ ବୋଝ ପାଲଟିଛି ବ୍ୟାଟେରି ଚାଳିତ ଟ୍ରାଇ ସାଇକେଲ

ହାଟଡିହି (ଓ୍ବାଇଏନଏସ): ଦିବ୍ୟାଙ୍ଗମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କ ଯାତାୟାତକୁ ସହଜ ଓ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବ୍ୟାଟେରି ଚାଳିତ ଟ୍ରାଇ ସାଇକେଲ। ହେଲେ ଏହି ଟ୍ରାଇ ସାଇକେଲ ଏବେ ଅନେକ ଦିବ୍ୟାଙ୍ଗଙ୍କ ପାଇଁ ସହାୟତା ବଦଳରେ ଦୁଃଖର କାରଣ ପାଲଟିଛି। ଗାଡ଼ି ମିଳିବାର କିଛି ଦିନ ନଯାଉଣୁ ତାହା ଖରାପ ହୋଇଯାଉଥିବା ବେଳେ ମରାମତି ପାଇଁ ସ୍ଥାନୀୟ ସ୍ତରରେ କୌଣସି ସୁବିଧା ନଥିବାରୁ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ଅନେକ ଦିବ୍ୟାଙ୍ଗଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବ୍ୟାଟେରି ଚାଳିତ ଟ୍ରାଇ ସାଇକେଲ ଅଳ୍ପ କିଛି ଦିନ ବ୍ୟବହାର ପରେ ଅଚଳ ହୋଇପଡ଼ୁଛି। କାହାର ବ୍ୟାଟେରି ଖରାପ ହୋଇଯାଉଛି ତ ଆଉ କାହାର ଚକ ଓ ଅନ୍ୟାନ୍ୟ ଯନ୍ତ୍ରାଂଶରେ ସମସ୍ୟା ଦେଖାଦେଉଛି। ଫଳରେ ଯେଉଁ ଗାଡ଼ି ସେମାନଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବା କଥା, ତାହା ଏବେ ଘରେ ପଡ଼ି ରହି ଖତ ଖାଉଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ଏହି ଗାଡ଼ିଗୁଡ଼ିକର ମରାମତି ପାଇଁ ହାଟଡିହି ଅଞ୍ଚଳରେ କୌଣସି ବ୍ୟବସ୍ଥା ନାହିଁ। ଗାଡ଼ି ଖରାପ ହେଲେ ଏହାକୁ ମରାମତି କରିବା ପାଇଁ କେନ୍ଦୁଝର ନେବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଉଛି। ହାଟଡିହିରୁ କେନ୍ଦୁଝରର ଦୂରତା ପ୍ରାୟ ୧୧୦ରୁ ୧୪୦ କିଲୋମିଟର ହୋଇଥିବା ବେଳେ ଏତେ ଦୂରକୁ ଏକ ଅଚଳ ଟ୍ରାଇ ସାଇକେଲ ନେଇ ମରାମତି କରିବା ହିତାଧିକାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏଥିପାଇଁ ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ହଜାରେ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହେଉଥିବା ଦିବ୍ୟାଙ୍ଗମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଧିକାଂଶ ହିତାଧିକାରୀ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ନିଜ ଖର୍ଚ୍ଚରେ ଏତେ ଦୂରକୁ ଗାଡ଼ି ନେଇ ମରାମତି କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଫଳରେ ଗାଡ଼ି ଖରାପ ହେବା ପରେ ସେମାନେ ପୂର୍ବପରି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାକୁ ନେଇ  ଅନେକ ଦିବ୍ୟାଙ୍ଗ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚି ନିଜ ଦୁର୍ଦ୍ଦଶା ଜଣାଇବା ସହିତ ତୁରନ୍ତ ସମାଧାନ ପାଇଁ ଦାବି ଜଣାଇଛନ୍ତି। ସରକାର ଯେଉଁ ଉଦ୍ଦେଶ୍ୟରେ ଏହି ଗାଡ଼ି ଯୋଗାଇ ଦେଉଛନ୍ତି, ତାହାର ପ୍ରକୃତ ସୁଫଳ ଯେପରି ହିତାଧିକାରୀମାନେ ପାଇପାରିବେ, ସେଥିପାଇଁ ମରାମତି ବ୍ୟବସ୍ଥାକୁ ସୁଗମ କରିବାକୁ  ଷଡ଼ଙ୍ଗ ଗ୍ରାମର ବସନ୍ତ ପଟ୍ଟନାୟକ, ଓରାଳି ଗ୍ରାମର ପ୍ରାଣକୃଷ୍ଣ ଭୋଇ, ବଳଭଦ୍ରପୁର ଗ୍ରାମର ଗୋପାଳ ଚନ୍ଦ୍ର ଜେନା, କଣ୍ଠିଆଡି ଗ୍ରାମର ସବିତା ଜେନା, ଅପସର ଗ୍ରାମର ଗଣେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଅନୁରୋଧ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଗାଡି ଗୁଡିକୁ କେନ୍ଦୁଝର ନେଇ ଯିବାକୁ କହିବାରୁ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।  ଏନେଇ ହାଟଡିହି ବିଡିଓ କହିଛନ୍ତି ଯେ, ଏହି ସମସ୍ୟା ସମ୍ପର୍କରେ ଅନେକ ଅଭିଯୋଗ ଆମ ପାଖରେ ପହଞ୍ଚିଛି। ଏନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ଗାଡି ଯୋଗାଉଥିବା ଏଜେନସି ଦ୍ୱାରା ହାଟଡିହିରେ ଖରାପ ହୋଇଥିବା ଟ୍ରାଇ ସାଇକେଲଗୁଡ଼ିକର ମରାମତି କରିବା ପାଇଁ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି।  ତେବେ ସରକାରୀ ଯୋଜନାରେ ଦିବ୍ୟାଙ୍ଗଙ୍କୁ ଗାଡ଼ି ଯୋଗାଇଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତାହାର ରକ୍ଷଣାବେକ୍ଷଣ ଓ ମରାମତି ବ୍ୟବସ୍ଥା କରିବା ମଧ୍ୟ ସେତିକି ଜରୁରୀ। ତେଣୁ ହାଟଡିହି ବ୍ଲକରେ ଏକ ସ୍ଥାୟୀ ମରାମତି କେନ୍ଦ୍ର ଖୋଲିବା ସହିତ ନିୟମିତ ବ୍ୟବଧାନରେ ମରାମତି ଶିବିର ଆୟୋଜନ କରିବାକୁ ସାଧାରଣରେ ଦାବି ହେଉଛି। ଏହାଦ୍ୱାରା ଦିବ୍ୟାଙ୍ଗମାନେ ଆଉ ଦୂରଦୂରାନ୍ତକୁ ଦୌଡ଼ିବାକୁ ପଡ଼ିବ ନାହିଁ ଏବଂ ସରକାରୀ ସହାୟତାର ପ୍ରକୃତ ଲାଭ ପାଇପାରିବେ ବୋଲି ଦିବ୍ୟାଙ୍ଗ ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ