ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲା କଂଗ୍ରେସ
ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ ପାଇଁ ପହଞ୍ଚିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନନ୍ଦ ଶର୍ମା, ରଣଦୀପ୍ ସୁରେଜଓ୍ବାଲା ସମେତ ବହୁ ନେତା ସାମିଲ୍ ରହିଛନ୍ତି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ ଦିଲ୍ଲୀ ହିଂସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରାଯିବା ସହିତ ପୀଡିତଙ୍କୁ ସାହାଯ୍ୟ କରିବାର ଦାବି କରାଯାଇଛି। ସେହିପରି ଦିଲ୍ଲୀ ହିଂସାକାଣ୍ଡର ଶୁଣାଣି କରିଥିବା ବିଚାରପତି ଏସ୍. ମୂରଲୀଧରଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହିତ ସରକାର ନ୍ୟାୟର ମୁହଁ ବନ୍ଦ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ହିଂସା ଘଟଣାରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଗଗନବିହାର ଓ ଜୋହରୀପୁର ଏକ୍ସଟେସନର ଡବଲ ପୁଲିଆ ନାଳ ନିକଟରୁ ଦୁଇଜଣଙ୍କ ମୃତଦେହ ଠାବ ହୋଇଛି । ଏହି ହିଂସାରେ ୨୦୦ରୁ ଊର୍ଦ୍ଧ୍ବ ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।


