ଦୁଇ ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଳକ୍ ର ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ସରକାରଙ୍କ ଘୋଷଣା ଅନୁସାରେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି I ପ୍ରକାଶ ଥାଉ କି ପ୍ରବାସୀ ଓଡ଼ିଆ ମାନେ ବେଲଗୁଣ୍ଠା ବ୍ଳକ୍ କୁ ଫେରିବା ପରେ ସେମାନଙ୍କୁ ଥଇଥାନ କରିବା ସହ ସଙ୍ଗରୋଧ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ସମୟରେ ବେଲଗୁଣ୍ଠା ବ୍ଳକ୍ ଧୁମୁଛାଇ ପଂଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ମାହାମାରୀ କରୋନାରେ ଆାକ୍ରାନ୍ତ ହେବା ସହ ଜୁଲାଇ ୨୩ ତାରିଖରେ ନିଜ ଜୀବନ ହରାଇଥିଲେ I ସେହିପରି ବେଲଗୁଣ୍ଠା ବ୍ଳକ୍ ମନେରଗା ଯୋଜନାର ଡାଟା ଏଣ୍ଟ୍ରି ଅପରେଟର୍ ସଞ୍ଜୟ କୁମାର ସ୍ୱାଇଁ ମଧ୍ଯ ସଙ୍ଗରୋଧ କେନ୍ଦ୍ରରେ ନିଜର ଦାୟିତ୍ୱ ତୁଲାଉଥିବା ବେଳେ କରୋନାରେ ଆକ୍ରାନ୍ତ ହେବା ସହ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୨୭ ତାରିଖରେ ଶୀତଳାପଲ୍ଲୀ କୋଭିଡ ସେଣ୍ଟର୍ ମୃତ୍ୟୁ ବରଣ କରିଥିଲେ I ଉଭୟଙ୍କ ମେଡିକାଲ୍ ରିପୋର୍ଟ ପଜିଟିଭ ଆସିବା ପରେ ଗଞ୍ଜାମ ଜିଲ୍ଲାପାଳ ଉଭୟଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିଲେ I ପରେ ବେଲଗୁଣ୍ଠା ବିଡିଓ ଶଶି ଭୂଷଣ ମହାପାତ୍ର ଏବଂ ତହସିଲଦାର ସରୋଜ କୁମାର ବେହେରାଙ୍କ ପ୍ରଚେ଼ଷ୍ଟାରେ ଉଭୟଙ୍କ ପରିବାର ପକ୍ଷରୁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ଉଭୟଙ୍କ ସ୍ତ୍ରୀଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି I ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ,ବେଲଗୁଣ୍ଠା ବିଡିଓ ଶଶି ଭୂଷଣ ମହାପାତ୍ର, ପିଏ ରଶ୍ମିତା ବରାଳଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ଵର୍ଗତ ମନୋଜଙ୍କ ସ୍ତ୍ରୀ ସୁନିତା ପ୍ରଧାନ ଏବଂ ସ୍ଵର୍ଗତ ସଞ୍ଜୟଙ୍କ ସ୍ତ୍ରୀ ଲୀଲୀ ସ୍ୱାଇଁଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ I ଏହି ସହାୟତା ରାଶି ପାଇବା ଦିଗରେ ବିଡିଓ ଶ୍ରୀ ମହାପାତ୍ରଙ୍କ ଅବଦାନ ଅତୁଳନୀୟ ବୋଲି ଉଭୟ ପରିବାରର ସଦସ୍ୟମାନେ ପ୍ରକାଶ କରିଥିଲେ I


