ଦୁର୍ଗାଙ୍କ ଭଷାଣୀରେ ବୁଲିଲା ତ୍ରିଶୂଳ ପରେ ମାରଣାସ୍ତ୍ର, ଦୁଇ ୱାର୍ଡ ସଭ୍ୟଙ୍କ କଳିରୁ ଖଣ୍ଡ ଯୁଦ୍ଧ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦୁର୍ଗାଙ୍କ ଭଷାଣୀରେ ବୁଲିଲା ତ୍ରିଶୂଳ ପରେ ମାରଣାସ୍ତ୍ର। ଦୁଇ ୱାର୍ଡ ସଭ୍ୟଙ୍କ କଳିରୁ ସୃଷ୍ଟି ହେଲା ଖଣ୍ଡ ଯୁଦ୍ଧ। ଗୋଟିଏ ଫୋନ କଲରେ ୱାର୍ଡ ସଭ୍ୟଙ୍କ ଘର ସମ୍ମୁଖରେ ପହଞ୍ଚିଲେ ପୁରା ଗ୍ୟାଙ୍ଗ। ଭାଙ୍ଗିଲେ ଘରର କବାଟ ଏବଂ ଘର ସମ୍ମୁଖରେ ଥିବା ବାଇକ୍। ପୋଲିସ ପହଁଚିବା ପରେ ଚମ୍ପଟ ମାରିଲେ ଆକ୍ରମଣକାରୀ ଗ୍ୟାଙ୍ଗ। ଗଞ୍ଜାମ ଜିଲ୍ଲା ପାଟପୁର ଦୁର୍ଗା ପୂଜା ଭଷାଣୀ ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ସୂଚନାନୁଯାୟୀ, ପାଟପୁର ଦୁର୍ଗା ପୂଜା ଭଷାଣୀ ବେଳେ ପୂଜା କମିଟିଙ୍କ ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ପାଟପୁର ମୁଖ୍ୟ ରାସ୍ତା ବାଙ୍କ ଗଳି ନିକଟରେ ଦୁଇ ୱାର୍ଡ ସଭ୍ୟଙ୍କ ମଧ୍ୟରେ ରାଜନୈତିକ କଥାକୁ ନେଇ କଥା କଟାକଟି ହୋଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୂଜା ଭଷାଣୀରେ ଜଣେ ବ୍ୟକ୍ତି ତ୍ରିଶୂଳ ବୁଲାଇବା ଦ୍ଵାରା କିଛି ଯୁବକଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଦୁର୍ଗା ପୂଜା କମିଟିର ସଦସ୍ୟ ବୁଝାସୁଝା କରିବା ପରେ ଗଣ୍ଡଗୋଳ ଶାନ୍ତ ପଡ଼ିଥିଲା। ହେଲେ କିଛି ସମୟ ପରେ ଭଷାଣୀରେ ମାଡ଼ ଖାଇଥିବା ୱାର୍ଡ ସଭ୍ୟଙ୍କ ଗୋଟିଏ ଫୋନ୍ କଲରେ ଏକ ଗ୍ୟାଙ୍ଗ ସେଠାରେ ପହଞ୍ଚି ଯାଇଥିଲେ । ପୁରା ଫିଲ୍ମ ଷ୍ଟାଇଲରେ ୧୦ରୁ ଉର୍ଦ୍ଧ୍ଵ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ପାଟପୁର ମୁଖ୍ୟ ରାସ୍ତା ଚାଲିଚାଲି ଅନ୍ୟ ଜଣେ ୱାର୍ଡ ସଭ୍ୟଙ୍କ ଘର ସମ୍ମୁଖରେ ପହଞ୍ଚି ଯାଇଥିଲେ। ୱାର୍ଡ ସଭ୍ୟଙ୍କୁ ଖୋଜାଖୋଜି କରିବା ସହ ଗାଳି ଗୁଲଜ କରି ଘର କବାଟକୁ ଭାଙ୍ଗି ଦେଇଥିଲେ। ଏହା ସହ ଘର ସମ୍ମୁଖରେ ଥୁଆ ହୋଇଥିବା ବାଇକ୍ ମଧ୍ୟ ଭଙ୍ଗାରୁଜା କରିଥିଲେ।ତେବେ ଖବର ପାଇ ପାଟପୁର ପୋଲିସ ପହଞ୍ଚିଲା ବେଳକୁ ଏହି ଗ୍ୟାଙ୍ଗ ଚମ୍ପଟ ମାରିଥିଲେ। ପୋଲିସ ଦୁଇ ଆହତଙ୍କୁ ଆଡପଡା ମେଡ଼ିକାଲରେ ଭର୍ତ୍ତି କରିଛି। ପାଟପୁର ଥାନା ପୋଲିସର ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଏଭଳି ଘଟଣା କୁ ନେଇ ସ୍ଥାନୀୟ ଲୋକମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


