କଡା ସୁରକ୍ଷା ବଳୟ ମଧ୍ୟରେ ସରିଲା ନାମାଙ୍କନ ପତ୍ର ଦାଖଲ

ଆସିକା(ୱାଇଏନ୍‍ଏସ୍‍): ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ପାଇଁ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଓ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ କଡା ସୁରକ୍ଷା ବଳୟ ମଧ୍ୟରେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ଅପରାହ୍ନରେ ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇସାରିଛି । ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନଙ୍କ ନେତୃତ୍ୱରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଥାନା ଅଧିକାରୀ ସୁଧିର କୁମାର ସାହୁ ଏବଂ ବିଜ୍ଞାନ ମହାବିଦ୍ୟାଳୟରେ କୋଟିନଡା ଥାନା ଅଧିକାରୀ ଦାମୋହର ବିହାରୀଙ୍କ ସମେତ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ଥିବା ଦେଖିବାକୁ ମିଳିଥିଲା । ସେହିପରି କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଗାଙ୍ଗପୁର ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଛାତ୍ରସଂସଦ ନିର୍ବାଚନକୁ ନେଇ ଆସିକାରେ କ୍ୟାମ୍ପସ୍‍ ରାଜନୀତି ସରଗରମ ହୋଇଉଠିଥିବା ଦେଖିବାକୁ ମିଳିଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀସଂସଦର ସଭାନେତ୍ରୀ ରୂପେ ଜଣେ ମାତ୍ର ପ୍ରାର୍ଥିନୀ ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀଙ୍କ ନାମାଙ୍କନ ପତ୍ର ବୈଧ ଥିବାରୁ ସେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀସଂସଦର ସଭାନେତ୍ରୀ ଭାବେ ବୈଧ ତାଲିକାରେ ଅପ୍ରତିଦ୍ୱନ୍ଦୀ ଥିବା ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀଙ୍କ ଆସନ୍ତା ୧୫ ତାରିଖରେ ଆନୁଷ୍ଠାନିକ ନିର୍ବାଚିତ ଘୋଷଣା କରାଯିବ ବୋଲି ଜଣାପଡିଛି । ସେହିପରି ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରସଂସଦର ଉପସଭାନେତ୍ରୀ ପଦବୀ ଲାଗି ସାଗରି ସ୍ୱାଇଁ ଓ ପାୟଲ୍‍ ପରିଡା ଏବଂ ସାଧାରଣ ସଂପାଦିକା ପଦବୀ ଲାଗି ଦୀପାଞ୍ଜଳୀ ମହାନ୍ତି ଓ ଶ୍ରଦ୍ଧା ମିଶ୍ରଙ୍କ ସମେତ ବିଭିନ୍ନ ପଦପଦବୀ ଲାଗି ୨୦ ଜଣ ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ବୈଧ ଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଛାତ୍ରସଂସଦର ସଭାପତି ପଦବୀ ଲାଗି କୁଳମଣି ପ୍ରଧାନ ଏବଂ ସୋନାଲୀ ବଢେଇ, ଉପସଭାପତି ପଦବୀ ଲାଗି ଝରଣା ପରିଡା ଏବଂ ଅମିତ୍‍ କୁମାର ବେହେରା, ସାଧାରଣ ସଂପାଦକ ପଦବୀ ଲାଗି ମହେଶ୍‍ ବିଷୋୟୀ ଏବଂ ସମୀର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କେତେକ ପଦବୀ ଲାଗି ୧୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ଥିବା ଜଣାପଡିଛି । ଦୀର୍ଘ ୮ ବର୍ଷ ବ୍ୟବଧାନରେ ହେଉଥିବା ଛାତ୍ରସଂସଦ ନିର୍ବାଚନ ପାଇଁ କ୍ୟାମ୍ପସରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି । ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଆଶାୟୀ ପ୍ରାର୍ଥୀମାନେ ଶୁକ୍ରବାର ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ବିଭିନ୍ନ ପଦପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଗୁଡିକ ଯାଞ୍ଚ କରାଯିବା ପରେ ଅପରାହ୍ନ ୫ଟାରେ ବୈଧ ନାମାଙ୍କନ ନାମାଙ୍କନ ତାଲିକା ଆସିକାର ୩ ମହାବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିଲା । ଆସନ୍ତାକାଲି ଅର୍ଥାତ୍‍ ୧୦ ତାରିଖ ସକାଳେ ୧୦ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ପ୍ରାର୍ଥୀମାନେ ଚାହିଁଲେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ଓ ଅପରାହ୍ନ ୩ଟାରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ବୋଲି ଜଣାପଡିଛି । ଆଗାମୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ପାଇଁ କେତେକ ଆଶାୟୀ ପାର୍ଥୀ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଲେଣି । କ୍ୟାମ୍ପସରେ ଜମିବାରେ ଲାଗିଛି ନିର୍ବାଚନୀ ମାହୋଲ୍‍ । ଛାତ୍ରସଂସଦ ନିର୍ବାଚନ ପାଇଁ ଆସନ୍ତାକାଲି ଅପରାହ୍ନରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କିଏ ରହିବ ମଇଦାନରେ ତାହା ସ୍ପଷ୍ଟ ହେବ । ଦୀର୍ଘ ୮ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେଉଥିବା ବେଳେ କ୍ୟାମ୍ପସରୁ ଆରମ୍ଭ କରି ଛକ ବଜାର ସବୁଠି ଚାଲିଛି ଆସିକାର କେଉଁ କଲେଜରେ କିଏ ଜିତିବ ଓ କିଏ ହାରିବ । ଆଗାମୀ ଛାତ୍ରସଂସଦ ନିର୍ବାଚନକୁ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶନାମା ଓ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକାକୁ ଅନୁପାଳନ କରି ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ