ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ
କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଆଣିବା ଲାଗି ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ବିକାଶ ଲାଗି କେତେକ ନୂତନ ନୀତିନିୟମ ପ୍ରଣୟନ କରିଛନ୍ତି। ଏବେ କିନ୍ନରମାନଙ୍କ ପାଇଁ ଖୁସି ଖବର । ଉତ୍ତର ପ୍ରଦେଶ ଅନ୍ତର୍ଗତ କୁଶୀନଗର ଜିଲ୍ଲାରେ ଏକ ବିଶ୍ୱ ବିଦ୍ୟାଳୟ ନିର୍ମିତ ହେବ, ଯେଉଁଠି କେବଳ କିନ୍ନରମାନେ ଅଧ୍ୟୟନ କରିବାର ସୁଯୋଗ ପାଇବେ । ଏହା ହେବ ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ । କିନ୍ନରମାନେ ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିପାରିବେ । ବିଶ୍ୱ ବିଦ୍ୟାଳୟ ଅଧୀନରେ କୌଣସି ସ୍ୱତନ୍ତ୍ର ବିଷୟରେ ଗବେଷଣା ସହ ପିଏଚଡି ଲାଭର ସୁଯୋଗ ମଧ୍ୟ ପାଇବେ । ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ବର୍ଷ ଜାନୁଆରି ୧୫ ତାରିଖରୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ ଏବଂ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ପଢା ଆରମ୍ଭ ହେବ । କିନ୍ନର ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ସୃଷ୍ଟି କରିବା ହେଉଛି ଏହାର ଉଦ୍ଦେଶ୍ୟ।


