ଦୃଷ୍ଟିହୀନଙ୍କ ପାଇଁ ମୁଦ୍ରା ଜାରି
ନୂଆଦିଲ୍ଲୀ, (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଷ୍ଟିହୀନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକାରର ମୁଦ୍ରା ଜାରି କରିଛନ୍ତି । ଜନଔଷଧି ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମୁଦ୍ରାକୁ ଜାରି କରାଯାଇଛି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଶେଷତାଗୁଡ଼ିକ ସହିତ ନୂଆ ମୁଦ୍ରା ଦୃଷ୍ଟିହିନଙ୍କ ପାଇଁ ସାହାଯ୍ୟକାରୀ ସାବ୍ୟସ୍ତ ହେବ ବୋଲି ପ୍ରକାଶ କରିଛନ୍ତି । ସରକାର ଦିବ୍ୟାଙ୍ଗ ହିତୈଷୀ ଯୋଜନାକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ପ୍ରକାଶ ଯେ ଦୃଷ୍ଟିହିନ ଦିବ୍ୟାଙ୍ଗଙ୍କ ପାଇଁ ଅଧିକ ସହଜ କରିବା ପାଇଁ ମୁଦ୍ରାର ନୂଆ ସିରିଜ୍ରେ ବିଭିନ୍ନ ନୂଆ ବିଶେଷତାକୁ ସାମିଲ କରାଯାଇଛି । ୨୦ଟଙ୍କାର ନୂଆ ମୁଦ୍ରାରେ ୧୨ଟି କୋଣ ରହିଥିବା ବେଳେ ଅନ୍ୟ ମୁଦ୍ରାଗୁଡ଼ିକର ଆକାର ଗୋଲ ରହିଛି । ଏହି ମୁଦ୍ରାଗୁଡ଼ିକୁ ଏପରି ଭାବେ ଡିଜାଇନ୍ କରାଯାଇଛି, ଯଦ୍ୱାରା ଦୃଷ୍ଟିହିନ ଏହାକୁ ସହଜରେ ଚିହ୍ନଟ କରିପାରିବେ । ମୂଲ୍ୟ ଦୃଷ୍ଟିରୁ ପ୍ରତ୍ୟେକ ମୁଦ୍ରାର ଓଜନ ଓ ସାଇଜ୍ ଡିଜାଇନ୍ କରାଯାଇଛି । ମୁଦ୍ରାକୁ ଭିନ୍ନ ଭିନ୍ନ ମୂଲ୍ୟବର୍ଗରେ ଉପଲବ୍ଧ କରାଯିବ । ଏଥିରେ ୧ଟଙ୍କା, ୨ଟଙ୍କା, ୫ଟଙ୍କା, ୧୦ଟଙ୍କା ଓ ୨୦ଟଙ୍କା ମୁଦ୍ରା ସାମିଲ ରହିଛି । ପ୍ରକାଶ ଯେ କେନ୍ଦ୍ର ସରକାର ଜାରି କରିବାକୁ ଘୋଷଣା କରିଥିବା ୨୦ଟଙ୍କିଆ ମୁଦ୍ରାରେ ୧୨ଟି କୋଣ ରହିଥିବା ବେଳେ ଏହା ବହୁଭୁଜ ଆକାରର । ଏହାର ବାହାର ବ୍ୟାସ୍ ୨୭ମିଳିମିଟର ଯୁକ୍ତ ହୋଇଥିବା ବେଳେ ଓଜନ ୮.୫୪ଗ୍ରାମ ହେବ । ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ନୂଆ ମୁଦ୍ରାରେ ଭାହାର ରିଙ୍ଗରେ ୬୫%ଅଂଶ ତମ୍ଭା, ୧୫% ଜିଙ୍କ ଓ ୨୦% ନିକେଲ ରହିବ । ଏଥିସହ ଆନ୍ତରିକ ରିଙ୍ଗରେ ୭୫% ଅଂଶ ତମ୍ଭା, ୨୦% ଜିଙ୍କ ଓ ୫% ନିକେଲ ରହିବ । ମୁଦ୍ରାର ଆଗ ଭାଗରେ ଅଶୋକ ସ୍ତମ୍ଭର ସିଂହ ରହିବ । ଯାହାର ନିମ୍ନରେ ‘ସତ୍ୟମେବ ଜୟତେ’ ଲେଖା ରହିବ । ମୁଦ୍ରାର ବାମ ଭାଗରେ ହିନ୍ଦିରେ ଭାରତ ଓ ଡାହାଣରେ ଇଂରାଜିରେ ଇଣ୍ଡିଆ ଲେଖା ରହିବ । ତେବେ ଏହା ପୂର୍ବରୁ ୨୦୦୯ରେ କେନ୍ଦ୍ର ସରକାର ୧୦ଟଙ୍କିଆ ମୁଦ୍ରା ଜାରି କରିଥିଲେ ।
nice news