ଧାଡିରେ ଠିଆ ହୋଇ ସାର ନେଲେ ଚାଷୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସେବା ସମବାୟ ସମିତି ଆଗରେ ଚାଷୀ ମାନେ ଧାଡିରେ ଠିଆ ହୋଇ ସାର ନେଉଥିବା ଦେଖାଯାଇଛି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ଚାଷୀ ମାନେ ଗତ ୧୫ ଦିନ ହେଲା ଧାନ ରୁଆ ସାରିଥିବା ବେଳେ ସାର ମିଳୁନଥିବାରୁ ଜମିରେ ସାର ପକାଇ ପାରୁନାହାନ୍ତି । ସରକାରୀ ସ୍ୱୀକୃତିପ୍ରାପ୍ତ ଡିଲର ମାନଙ୍କ ଠାରେ ସାର ମିଳୁନାହିଁ । ଫଳରେ ଚାଷୀ ମାନେ ପଡୋଶୀ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର କେତେକ ସ୍ଥାନରୁ ଅଧିକ ଦରରେ ସାର କିଣୁ ଥିବା ଜଣାଯାଇଛି । ଗତ ୧୫ ଦିନ ତଳେ ବିଭିନ୍ନ ସମବାୟ ସମିତିରେ ପ୍ରଥମ ପର୍ଯ୍ୟାୟରେ ୟୁରିଆ ସାର ଆସିଥିଲା । ତାହା କେବଳ ହାତଗଣତି କେତେକ ଚାଷୀଙ୍କୁ ଦିଆଯାଇଥିବା ବେଳେ ବହୁ ଚାଷୀ ଏହି ସାର ପାଇନଥିଲେ । ସୋମବାର ପୁନଶ୍ଚ କେତେକ ସମିତିକୁ ଡି.ଏ.ପି ସାର ଆସିଥିବା ଦେଖାଯାଇଛି । ତାହା ଆବଶ୍ୟକତା ଠାରୁ କମ୍ ହୋଇଥିବାରୁ ସମସ୍ତ ଚାଷୀ ଏହି ସାର ପାଇପାରୁନାହାନ୍ତି । ଏପରିପେକ୍ଷୀରେ ପଧାନପଡା ସମିତିକୁ ପ୍ରଥମେ ୧୧୦ ବସ୍ତା ୟୁରିଆ ସାର ଆସିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୨ ଶହ ବସ୍ତା ଡି.ଏ.ପି ସାର ଆସିଥିବା ବେଳେ ମଙ୍ଗଳବାର ସକାଳ ଠାରୁ ଚାଷୀ ମାନେ ସାର ନେବା ପାଇଁ ସମିତି ଆଗରେ ଲମ୍ବା ଧାଡିରେ ଠିଆ ହୋଇଥିଲେ । ଚାଷୀଙ୍କ ଭିଡ ଦେଖି ଶୃଂଖଳା ରକ୍ଷା ପାଇଁ ସମିତିର ସଂପାଦକ ନାରାୟଣ ଚନ୍ଦ୍ର ସାହୁ ପୋଲିସର ସହାୟତା ନେଇଥିଲେ । ପୋଲିସ କର୍ମଚାରୀଙ୍କ ସହାୟତାରେ ସାର ବଣ୍ଟନ କାର୍ଯ୍ୟ ଶୃଂଖଳାର ସହ ସଂପାଦନ ହୋଇଥିଲା । ଅପରପକ୍ଷେ ବିଭିନ୍ନ ସମିତିକୁ ଆସି ଥିବା ସାର ସମୁଦ୍ରକୁ ଶଂଖେ ବୋଲି ଚାଷୀ ମାନେ କହିଛନ୍ତି । ଜିଲା କୃଷି ବିଭାଗ ସ୍ୱୀକୃତିପ୍ରାପ୍ତ ଡିଲର ଓ ସମବାୟ ସମିତି ଗୁଡିକ ଆବଶ୍ୟକତା ଅନୁଯାୟୀ ସାର ଯୋଗାଇ ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ