ଧାନଚାଷରେ ବଳଦଟଣା ମଞ୍ଜିବୁଣା ଯନ୍ତ୍ରର ସଫଳତା ଆଲୋଚନା ଚକ୍ର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ଆଇଟିସି ମିଶନ ସୁନେହେରା କଲ ଓ ହର୍ଷ ଟ୍ରଷ୍ଟର ମିଳିତ ସହଯୋଗରେ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଳକ ଶିଖରପୁର ଠାରେ ଧାନଚାଷରେ ବଳଦଟଣା ମଞ୍ଜିବୁଣା ଯନ୍ତ୍ରର ସଫଳତା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ଖରିଫ ଋତୁରେ ଗଞ୍ଜାମ ଜିଲ୍ଲାର ୫ଟି ବ୍ଳକରେବଳଦଟଣା ମଞ୍ଜିବୁଣା ଯନ୍ତ୍ର ସହାୟତାରେ ୫ ଧାଡ଼ିଆ ଧାନଚାଷ ସଫଳ ହୋଇଥିଲା । ହର୍ଷ ଟ୍ରଷ୍ଟ ଟିମ୍ ଲିଡ଼ର ଶଶିକାନ୍ତ ବେହେରାଙ୍କ ତତ୍ତାବଧାନରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ପ୍ରାଧ୍ୟାପକ ଦେବରାଜ ବେହେରା ଓ ସମ୍ମାନିତ ଅତିଥି ଭାବେ ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶର ସ୍ୱାଇଁ, ଗଞ୍ଜାମ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶୁସ୍ମିତା ମହାନ୍ତି,କୀଟତତ୍ତ୍ୱ ବୈଜ୍ଞାନିକ ପ୍ରଶାନ୍ତ କୁମାର ପଣ୍ଡା, ବ୍ଳକ କୃଷି ଅଧିକାରୀ ବଳରାମ ସୁବୁଦ୍ଧି, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ସିଟ୍ ପ୍ରୋଫାଇଲ କମ୍ପାନୀ ମୁଖ୍ୟ ପ୍ରଭାତ ରଞ୍ଜନ ସାହୁ ପ୍ରମୁଖ ମଂଚାସିନ ଥିଲେ । ଚଳିତ ରବି ଋତୁରେ ମଧ୍ୟ ବଳଦଟଣା ମଞ୍ଜିବୁଣା ଯନ୍ତ୍ର ସହାୟତାରେ ରବି ଚାଷ କରିବା ପାଇଁ ଉପସ୍ଥିତ ଚାଷୀ ମାନଙ୍କୁ ଉତ୍ସାହିତ କରାଯିବା ସହ କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା । ଯନ୍ତ୍ର ସହାୟତାରେ ଧାଡ଼ି ବୁଣା କରିବା ଦ୍ୱାରା କମ ସମୟରେ ସୁବିଧାରେ , କମ ଖର୍ଚ୍ଚରେ, କମ ପରିମାଣର ବିହନ ବ୍ୟବହାର କରାଯାଇ ଅଧିକ ଫସଲ ଉତ୍ପାଦନ କରାଯାଇପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଅତିଥିମାନେ ମୁଗ ଧାଡିବୁଣା କ୍ଷେତ୍ର ଓ ୪ ଧାଡ଼ିଆ ବିବିଧ କ୍ଷେତ୍ର ପ୍ରଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଆଇଟିସି ମିଶନ ସୁନେହେରା କଲ ଓ ହର୍ଷ ଟ୍ରଷ୍ଟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


