ଧାନଚାଷ ଜମିରେ ଜଳ ପରିଚାଳନା ଦୂରକରିବ ବିଶ୍ୱସଙ୍କଟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଧାନଚାଷ ଜମିରେ ଜଳ ଠୁଳ ହୋଇ ରହୁଥିବାରୁ ମାତ୍ରାଧିକ ମିଥେନ ଗ୍ୟାସ୍ ନିର୍ଗତ ହୋଇ ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ସୃଷ୍ଟି କରିବାରେ ଲାଗିଛି । ଏହା ଦ୍ୱାରା ଚାଷ, ଚାଷୀ ଓ ପରିବେଶ ପ୍ରତି ନୂଆ ନୂଆ ବିପଦ ସୃଷ୍ଟି ହେଉଛି । କାର୍ଟନ କ୍ରେଡିଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଧାନ ଚାଷ ଜମିରେ ଜଳ ପରିଚାଳନା କରିପାରିଲେ ଚାଷୀଙ୍କୁ ଏକର ପ୍ରତି ୮୦୦ ଟଙ୍କା ମିଳିବ ବୋଲି କୋର କାର୍ବନେକ୍ସ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓୟୁଏଟି ଇମେଜ୍ ପ୍ରେକ୍ଷାଳୟରେ ଆୟୋଜିତ ଅଂଶୀଦାର ବୈଠକରେ କୁହାଯାଇଛି ।୨୦୦୮ ପରଠାରୁ ୧୨ଟି ଦେଶରେ ଅକ୍ଷୟ ଶକ୍ତି, ବର୍ଜ୍ୟ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ କାର୍ଯ୍ୟରତ କୋର କାର୍ବନେକ୍ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ରାଜ୍ୟରେ ବର୍ଷକୁ ଦୁଇଥର ଧାନଚାଷ କରୁଥିବା ୨୦ ହଜାର ଚାଷୀଙ୍କ ଜମିରେ ଜଳ ପରିଚାଳନା ଦ୍ୱାରା ମିଥେନ୍ ଗ୍ୟାସ ନିର୍ଗମନକୁ ହ୍ରାସ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁମାନେ ନିରନ୍ତର ନିଜ ଧାନ ଜମିରେ ଜଳ ପରିଚାଳନା ଜାରି ରଖିଥିବେ ସେମାନଙ୍କୁ ପ୍ରତି ଏକର ପିଛା ୮୦୦ ଟଙ୍କା ପ୍ରଦାନ କରାଯିବ ବୋଲି କୋର କାର୍ବନେକ୍ସ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ନିରଜ ମହାନ୍ତି ସୂଚିତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ବାଲେଶ୍ୱର, ବଲାଙ୍ଗିର, ଖୋର୍ଦ୍ଧା ଆଦି ଜିଲ୍ଲାରୁ ଶତାଧିକ ଚାଷୀଙ୍କ ସହିତ କଲେଜ୍ ଅଫ୍ ଏଗ୍ରିକଲଚର ଡିନ୍ ଡକ୍ଟର ହୃଷୀକେଶ ପାତ୍ର, ଧାନ ଗବେଷଣା କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଡଃ. ବିପିନ ବିହାରୀ ପଣ୍ଡା, କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡଃ ରାଜେଶ ଦାଶ, କୋର କାର୍ବନେକ୍ସର ରାଜ୍ୟ ମୁଖ୍ୟ ଅପର୍ତ୍ତି ସେଠୀ ପ୍ରମୁଖ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନର ବିଭିନ୍ନ କାରଣ ସାଙ୍ଗକୁ ପ୍ରାକୃତିକ କୃଷି, ଜୈବିକ କୃଷି ଓ କାର୍ବନ ଟ୍ରେଡିଂ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।ରାଜ୍ୟରେ ଖରିଫରେ ୩୫ ଲକ୍ଷ ହେକ୍ଟର ଧାନଚାଷ ହେଉଥିବା ବେଳେ ରବିରେ ୩ ଲକ୍ଷ ହେକ୍ଟର ଧାନ ଚାଷ ହୋଇଥାଏ । ଚାଷୀମାନେ ଜମିରେ ୫/୧୦ ସେଣ୍ଟିମିଟର ଜଳ ଠୁଳ କରି ରଖନ୍ତି । ଜଳମଗ୍ନ ଧାନ ଜମିରୁ ୫ରୁ ୨୦ ପ୍ରତିଶତ ମିଥେନ ଗ୍ୟାସ୍ ସୃଷ୍ଟି ହୋଇଥାଏ । ଏହାକୁ ରୋକାଯିବା ସମୟର ଆହ୍ୱାନ ବୋଲି ମତ ପ୍ରକାଶ ପାଇଥିଲା । ବିଶ୍ୱ ତାପାୟନ କାରଣରୁ କେବେ ବାତ୍ୟା ତ କେବେ ମରୁଡ଼ି ଓ କେବେ ମହାବାତ୍ୟା ସ୍ଥିତି ସୃଷ୍ଟି ହେଉଛି । ଧାନ ଆମର ମୁଖ୍ୟ ଖାଦ୍ୟ ହୋଇଥିବାରୁ ତା’ର ନିରନ୍ତରତା ବଜାୟ ରଖିବା ସହିତ ମାଟିରେ ଅତୁସାର ଅକ୍ଷୁଣ୍ଣ ରଖିବାକୁ ହେଲେ ସଠିକ ମାତ୍ରାରେ ଜଳସେଚନ ଓ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି କୁହାଯାଇଥିଲା । କୋର କାର୍ବନେକ୍ସ ପକ୍ଷରୁ ସ୍ମୃତିରଞ୍ଜନ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।


