ନବଦୋୟ ଛାତ୍ରୀ ସୌଦାମିନୀର ମୃତ୍ୟୁକୁ ବିତିଲା ୧୬ ଦିନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡା ଠାରେ ଥିବା ଜବାହର ବିଦ୍ୟାଳୟର ନବମ ଶ୍ରେଣୀରେ ଅଧୟନ କରୁଥିବା ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ଗତ ୧୯ ତାରିଖରେ ଘଟିଥିଲା. ଘଟଣାଟି ଘଟି ୧୬ ଦିନ ବିତିବାକୁ ଯାଉଛି, ତଥାପି ଏହି ମୃତ୍ୟୁ କେମିତି ଓ କାହା ଦ୍ୱାରା ଘଟିଛି ପୋଲିସ ତାର ପ୍ରଦଫାଶ କରିପାରିନାହଁ. ଏହା ବିରୋଧରେ ପ୍ରତିବାଦ ଜଣାଇ ଗଜପତି ଜିଲ୍ଲା ସିପିଆଇ(ଏମ )ତରଫରୁ ଏକ ବିରାଟ ରାଲି ପାରଳା ସହର ପରିକ୍ରମା କରିଛି. ସିପିଏମର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଆଜି ପାରଳା ବସ ଷ୍ଟାଣ୍ଡ ଠାରୁ ୨ ହଜାରରୁ ଉର୍ଦ୍ଧ ସିପିଆଇଏମ କର୍ମୀଙ୍କ ଏକ ବିରାଟ ରାଲି ପାରଳା ସହର ପରିକ୍ରମା କରି ଗଜପତି ଜିଲ୍ଲାପାଳ ଅଫିସ ଠାରେ ପହଞ୍ଚି ଥିଲା. ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇଏମ କର୍ମୀମାନେ ଧାରଣା ଦେଇ ଘଟଣାକୁ ନେଇ ତୀବ୍ର ବିରୋଧ କରିବା ସହ ଘଟଣାରେ ସମ୍ପୃକ୍ତ ଦୋଷୀକୁ ତୁରନ୍ତ ଦଣ୍ଡ ବିଧାନ ଏବଂ ଛାତ୍ରୀଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦାବି କରି କର୍ମୀମାନେ ବିକ୍ଷୋଭ ପ୍ରଦଶନ କରିଥିଲେ. ଏହାପରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏଡିଏମ ସଂଗ୍ରାମ ଶେଖର ପଣ୍ଡାଙ୍କୁ ସିପିଏମ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା.


