ନବନିର୍ମାଣ ଯୁବଛାତ୍ର ସଂଗଠନର ବାଇକ୍ ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦୀର୍ଘଦିନର ଚାଷୀ ଆନ୍ଦୋଳନର ଐତିହାସିକ ବିଜୟ ପରେ ଏହି ବିଜୟ ଉତ୍ସବକୁ ଆନୁଷ୍ଠାନିକ ଭାବେ ପାଳନ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱନରେ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର ସଂଗଠନର ବିଜୟ ଉତ୍ସବ, ସଭା ସମିତି ଶୋଭାଯାତ୍ରା ପାଳିତ ହୋଇଯାଇଛି । ଅଦିନିଆ ବର୍ଷା ଓ ଜୱାଦ ପ୍ରଭାବରେ ଓଡ଼ିଶା ଚାଷୀ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବାରୁ ଯଥାଯୋଗ୍ୟ ନିରାଡ଼ମ୍ବର ଭାବରେ ଏହି ଉତ୍ସବକୁ ପାଳନ କରିବା ପାଇଁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ୱାନ କରିଥିଲେ । ଆଜି ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର ଠାରୁ ଆରମ୍ଭ କରି ବଲାଙ୍ଗୀର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ସଭା, ସମିତି କରି ଏହି ଉତ୍ସବକୁ ପାଳନ କରିଛନ୍ତି । ସରକାର ତିନି କଳା କାନୁନ୍ ପ୍ରତ୍ୟାହାର ସହ ଚାଷୀମାନଙ୍କ ନାମରେ ଆନ୍ଦୋଳନ ସମୟରେ ହୋଇଥିବା ମୋକଦ୍ଦମା ପ୍ରତ୍ୟାହାର କରିଥିବାରୁ ଚାଷୀମାନେ ଖୁସିବ୍ୟକ୍ତ କରିଥିଲେ । ଚାଷୀ ଆନ୍ଦୋଳନ ସ୍ୱାଧୀନତା ପରେ ପ୍ରମାଣ କରିଦେଲା ଯେ, ସରକାର ଯେତେ ସଶକ୍ତ ହୁଅନ୍ତୁ, ଗଣମାଧ୍ୟମ ପ୍ରଚାର କରୁ କି ନକରୁ, ଆନ୍ଦୋଳନକାରୀମାନେ ଜିଦ୍‌ରେ ଅଟଳ ରହିଲେ ଆନ୍ଦୋଳନ ସଫଳ ହୁଏ । ଏହା ପରେ ଏମ୍‌.ଏସ୍‌.ପି. ଆଇନରେ ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ଦାବି ରହିଛି, ସେ ଦାବିକୁ ସଫଳ କରିବା ପାଇଁ ସଂଯୁକ୍ତ ମୋର୍ଚ୍ଚା ଲଗାତର ସରକାରଙ୍କ ସହ ଆଲୋଚନାରେ ରହିବା ସହ ଏହାର ଅଗ୍ରଗତିକୁ ସମୀକ୍ଷା କରିବ । ସେହିଭଳି ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତିକୁ ସରକାର ଭରଣା ନକଲେ ଆନ୍ଦୋଳନ ବଢିବ ବୋଲି ସେ କହିଛନ୍ତି । ଆଜି ଭୁବନେଶ୍ୱରରେ ଯୁବଛାତ୍ର ସଂଗଠନ ତରଫରୁ ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ଓ ଭୁବନେଶ୍ୱର ସଭାପତି ଅମିତ ଜେନାଙ୍କ ନେତୃତ୍ୱରେ ବିଜେବି ନଗରରୁ ଯୁବଛାତ୍ରମାନେ କାର୍ ଓ ବାଇକ୍‌ରେ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ପରିକ୍ରମା କରିଥିଲେ । ଚାଷୀ ଏକତା ଜିନ୍ଦାବାଦ, ସରକାର ହାରିଲେ, ଚାଷୀ ଜିତିଲେ, ଭାରତ ବର୍ଷରେ ଚାଷୀ ବିରୋଧୀ କାନୁନ ଚଳିବ ନାହିଁ, ଏମ୍‌.ଏସ୍‌.ପି.କୁ ଆଇନ ପରିସରକୁ ଆଣିବା ଆମର ଦାବି ସ୍ଲୋଗାନମାନ ଦେଇଥିଲେ । ଶେଷରେ ମନୱାର ଅଲ୍ଲୀ ଯୁବଛାତ୍ରମାନଙ୍କୁ ବକ୍ତବ୍ୟ ଦେଇ କହିଥିଲେ ଯେ, ଅନ୍ନଦାତାଙ୍କ ପ୍ରତି ଯେଉଁ ସରକାର ବେଇମାନ କରିବ, ତା ବିରୁଦ୍ଧରେ ଯୁବଛାତ୍ରମାନେ ଚାଷୀଙ୍କ ସପକ୍ଷ ନେଇ ରାସ୍ତାରେ ଠିଆ ହେବେ । ଆଜି ବିଜୟ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଯୁବଛାତ୍ର ସମାଜ ଏହା ପ୍ରମାଣ କରିଦେଇଛି । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟ ମଧୁମିତା ସାମଲ, ସୌମ୍ୟରଞ୍ଜନ ପଣ୍ଡା, ରଞ୍ଜନ ନାୟକ, ରୀତେଶ ଦାସ, ସତ୍ୟପ୍ରକାଶ ଦାସ ପ୍ରମୁଖ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ