ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ଦିନ ହେଲା ଝୁଲୁଛି ତାଲା

ହାଟଡିହି (ଓ୍ବାଇଏନଏସ): ବେନିୟମ ଶିକ୍ଷକ ବଦଳିକୁ ନେଇ ହାଟଡିହି ବ୍ଲକ ସଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମରେ  ଥିବା ପାଟଜାଗୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ଦିନ ହେଲା ତାଲା ଝୁଲୁଛି।   ବିଇଓ ଙ୍କ ମନମାନି ବିରୁଦ୍ଧରେ ଗ୍ରାମବାସୀ ମାନେ ଏକଜୁଟ ହୋଇ  ଗତ ୧୮ ତାରିଖରୁ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଫଳରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରି ନପାରି ବିଦ୍ୟାଳୟ ସମୁଖରେ ଠିଆ ହୋଇ ହୋଇ ନିରାଶରେ ଘରକୁ ଫେରିଛନ୍ତି। ସେମାନଙ୍କ ମୁଖ୍ୟଦାବି ଯେ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲକୁ ଆସି ଆଲୋଚନା ଭବିଷ୍ୟତରେ ଶିକ୍ଷକ ବଦଳି ନକରିବା ପାଇଁ ପ୍ରତିଶୃତି ଦିଅନ୍ତୁ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ସ୍କୁଲକୁ ଯାଇ ନଥିବାରୁ  ଅଭିଭାବକ ଓ ଗ୍ରାମବାସୀ ମାନେ ବିଦ୍ୟାଳୟର ତାଲା ଫିଟାଉ ନାହାନ୍ତି। ଫଳରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗଛମୂଳେ ବସି ବସି ଘରକୁ ଫେରୁଛନ୍ତି। ସେମାନଙ୍କ ଅଭିଯୋଗ ଯେ ଏହି ବିଦ୍ୟାଳୟରେ ତିନୋଟି ଶ୍ରେଣୀ ରେ ୫୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ନିଯୁକ୍ତି ଥିଲେ। ଗତ ଜୁନ ମାସରେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ ଜଣେ ଶିକ୍ଷୟତ୍ରୀ ଏଠାକୁ ଡେପୁଟେସନ ରେ ଆସିଥିଲେ। କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବେଳେ କାହିଁକି ଆଉ ଜଣେ ଶିକ୍ଷୟତ୍ରୀ ନିଯୁକ୍ତି ଦେଲେ ତାକୁ ନେଇ ସେତେବେଳେ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା। ୧୫ଦିନ ତଳେ ସେହି ଶିକ୍ଷୟିତ୍ରୀଙ୍କୁ ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ ପଠାଇ ଦେଲେ। ଯାହାକୁ ନେଇ ଶିକ୍ଷୟତ୍ରୀ ଜଣକ ପ୍ରତିବାଦ କରିବାରୁ  ଗତ ଶୁକ୍ରବାର ଦିନ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କ ଡେପୁଟେସନକୁ କ୍ୟାନସଲ କରି ପୁନର୍ବାର ପାଟଜାଗୁଳାଇ ସ୍କୁଲକୁ ଫେରାଇ ଦେଲେ। ପରବର୍ତ୍ତୀ ସମୟରେ କାଳେ ଅନ୍ୟ ଶିକ୍ଷକଙ୍କୁ ଏଠାରୁ ଖୋଲି ନିଆଯିବ ସେ ଭୟରେ ଗ୍ରାମବାସୀ ଓ ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି। ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ ବୋଲି ମାୟଧର ଜେନା, ନିତ୍ୟାନନ୍ଦ ଜେନା , ରମାକାନ୍ତ ରାଉତ, ରବୀନ୍ଦ୍ର ରାଉତ, ଶଶିକାନ୍ତ ସେଠୀ, ରଙ୍କନିଧି ଜେନା, ଗଦାଧର ଭୋଇ, ସନ୍ତୋଷ କୁମାର ଜେନା, ଗୋବିନ୍ଦ ବେହେରା , ବିଜୟ ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ଶୁକଦେବ ସେଠୀ, ଚିନ୍ତାମଣି ବେହେରା, ନିରାକର ପରିଡ଼ା, ପବନା ସେଠୀ , ରମେଶ ନାୟକ, ବାମନ ପଲତା, କାଙ୍ଗାଳି ନାୟକ, ଭଗବାନ ଜେନା, ବିରଞ୍ଜି ରାଉତ ପ୍ରମୁଖ ଗ୍ରାମବାସୀ ମାନେ କହିଛନ୍ତି। ଅନ୍ୟ ପକ୍ଷରେ ଏହି ଆନ୍ଦୋଳନ ପଛରେ ପ୍ରଧାନ ଶିକ୍ଷକଙ୍କ ହାତ ଥିବା ନେଇ ଆଜି କିଛି ଅଭିଭାବକ ଅଭିଯୋଗ କରିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ