ନଭୀଦ, ଅନୱରଙ୍କୁ ୮ ବର୍ଷ ବାସନ୍ଦ
ନୂଆଦିଲ୍ଲୀ , (ୱ।ଇଏନ୍ଏସ୍): ୟୁଏଇର ଦୁଇ ଖେଳାଳି ମହମ୍ମଦ ନଭୀଦ ଏବଂ ଶୈମାନ ଅନୱର ବଟ୍ଟଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରିଛି ଆଇସିସି । ୨୦୧୯ରେ ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ମ୍ୟାଚ୍ ଫିକ୍ସିଂ କରିବାକୁ ଏହି ଦୁଇ ଖେଳାଳି ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ସେମାନଙ୍କ ଉପରେ ବାସନ୍ଦାଦେଶ ଅକ୍ଟୋବର ୧୬,୨୦୧୯ ଠାରୁ ଲାଗୁ ହେବ । ୟୁଏଇ ଅଧିନାୟକ ନଭୀଦ୍ ୩୯ଟି ଦିନିକିଆ ଓ ୩୧ ଟି୨୦ ଖେଳିଛନ୍ତି । ୪୨ ବର୍ଷୀୟ ଅନୱର ୟୁଏଇ ପାଇଁ ୪୦ଟି ଦିନିକିଆ ଓ ୩୨ ଟି୨୦ ରେ ପ୍ରତିନିଧିତ୍ୱ କରିଛନ୍ତି ।ଆଇସିସି ଇଣ୍ଟେଗ୍ରିଟି ୟୁନିଟର ଜେନେରାଲ ମ୍ୟନେଜର ଆଲେକ୍ସ ମାର୍ଶାଲ କହିଛନ୍ତି ଯେ, ଉଭୟ ନଭୀଦ୍ ଓ ଅନୱର ୟୁଏଇ ପାଇଁ ବହୁ ବର୍ଷ ଧରି କ୍ରିକେଟ୍ ଖେଳିଛନ୍ତି । ମ୍ୟାଚ୍ ଫିକ୍ସରଙ୍କ ଠାରୁ ବିପଦ ନେଇ ସେମାନେ ଭଲ ଭାବେ ଅବଗତ ଥିଲେ । ତଥାପି ସେମାନେ ନିଜ ପଦ ଓ ଦାୟିତ୍ୱର ଅପବ୍ୟବହାର କରି ଦୁର୍ନୀତିରେ ସମ୍ପୃକ୍ତ ରହି ନିଜ ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ପ୍ରତି ବିଶ୍ୱାସ ଘାତକତା କରିଛନ୍ତି । ୨୦୧୯ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ଅସାଧୁ ଉପାୟରେ ମ୍ୟାଚର ଫଳାଫଳ ପରିବର୍ତ୍ତନ କରି ଉଭୟ ଖେଳାଳି ଆଇସିସିର ଦୁର୍ନୀତି ନିବାରଣ ସଂହିତାର ବିଭିନ୍ନ ଧାରା ଉଲ୍ଲଂଘନ କରିଛନ୍ତି ।ଉଭୟ ନଭୀଦ ଓ ଅନୱରଙ୍କ ବିରୋଧରେ ବାସନ୍ଦାଦେଶ ଅନ୍ୟ କ୍ରିକେଟରଙ୍କ ପାଇଁ ଏକ ଚେତାବନୀ ହେବ ବୋଲି ମାର୍ଶାଲ କହିଛନ୍ତି ।


