ନାଜୁର ସାହେବଙ୍କ ମହାନତା : ରାସ୍ତାରୁ ଗୋଟେଇ ସୁନା ବ୍ରେସଲେଟ ଫେରେଇଲେ ବୃଦ୍ଧ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବଞ୍ଚିଛି ମଣିଷ ପଣିଆ ଥରେ ନୁହେଁ, ଦୁଇ ଦୁଇ ଥର ରାସ୍ତାରୁ ପାଇଥିବା ମୂଲ୍ୟବାନ ସାମଗ୍ରୀକୁ ସେ ହଜି ଯାଇଥିବା ଲୋକ ପାଖରେ ପହଞ୍ଚାଇଛନ୍ତି। ଏମିତି ଏକ ଉଦାହରଣ ହେଉଛନ୍ତି, ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଘୁ.ଉଦୟଗିରି ସହରର ୫ନଂ ୱାର୍ଡ ଅନ୍ତର୍ଗତ କ୍ଳବସାହି ବାସିନ୍ଦା ନାଜୁର୍‌ ସାହେବ। ବୟସ ୮୦ ପାର ହେଲାଣି। ପେସାରେ ଜଣେ ସାଇକେଲ୍‌ ମେକାନିକ୍‌। ସହର ସାରା ସେ ନାଜୁର୍‌ ସାହେବ ଭାବେ ବେଶ୍‌ ପରିଚିତ । ଗରିବ ହେଲେ ମଧ୍ୟ ସ୍ୱାଭିମାନର ସହ ବଞ୍ଚି ଶିଖିଛନ୍ତି ନାଜୁର। ପରିଣତ ବୟସରେ ସାମନ୍ୟତମ‌ ଲୋଭ ତାଙ୍କ ପାଖ ମାଡ଼ିନି । ସୂଚନା ଅନୁସାରେ, ଗତ ୨ ତାରିଖ ଦିନ ଘୁ.ଉଦୟଗିରି ସହରର ଏମ୍ଏ‌ମ୍‌ସି ରାସ୍ତାରୁ ଏକ ସୁନାର ବ୍ରେସ୍‌ଲେଟ୍‌ ପାଇଥିଲେ ନାଜୁର, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ରାସ୍ତାରୁ ପାଇଥିବା ସେହି ବ୍ରେସ୍‌ଲେଟ୍‌ଟି ନିଜ ପାଖରେ ରଖି ତାହା କାହାର, ଖବର କାଢ଼ିବାରେ ଲାଗିଲେ। ଦିନେ ଏମିତି କିଛି ଲୋକଙ୍କ ସହ କଥା ହେଉ ହେଉ ସେ ଖବର ପାଇଲେ ଏହି ବ୍ରେସ୍‌ଲେଟ୍‌ ଟି ଘୁ.ଉଦୟଗିରି ସହରର କାର୍ତ୍ତିକ ପାଢ଼ୀ ନାମକ ଜଣେ ଯୁବକଙ୍କର, ଯାହା ସେ ହଜାଇ ଦେଇଛନ୍ତି। ସେ ନିଜେ କାର୍ତ୍ତିକଙ୍କ ପାଖରେ ପହଂଚି ତାଙ୍କ ସୁନା ବ୍ରେସ୍‌ଲେଟ୍‌ଟିକୁ ଫେରାଇ ନିଜ ମହାନତାର ପରିଚୟ ଦେଇଥିଲେ । କେବଳ ଏହି ଘଟଣା ନୁହେଁ, ଗତବର୍ଷ ବି ନାଜୁର ଆହାର କେନ୍ଦ୍ର ସମ୍ମୁଖରୁ ଏହି ଭଳି ଏକ ମନିପର୍ସ ପାଇଥିଲେ। ଯେଉଁ ବ୍ୟକ୍ତିଙ୍କ ମନିପର୍ସ ତାଙ୍କୁ ସେ ଖୋଜିଖୋଜି ଫେରାଇ ଦେଇଥିଲେ।ତେବେ ବ୍ରେସ୍‌ଲେଟ୍‌ଟିକୁ ହଜାଇ ଦେଇଥିବା କାର୍ତ୍ତିକ ଖୋଜିଖୋଜି କରି ନୟାନ୍ତ ହୋଇ ମନ ଦୁଃଖରେ ଥିଲେ। ଆଶା ଛାଡ଼ି ଦେଇଥିଲେ ଆଉ ପାଇବେନି। କିନ୍ତୁ ନାଜୁର ସାହେବ ହଠାତ୍ ଘରକୁ ଆସି ତାଙ୍କ ବ୍ରେସ୍‌ଲେଟ୍‌ ଦେବା ପରେ ସେ ନାଜୁର ସାହେବଙ୍କୁ କ’ଣ କହି ଧନ୍ୟବାଦ ଦେବେ ଭାବି ପାରି ନଥିଲେ। ତଥାପି ଏହି ଭଳି ବ୍ୟକ୍ତିତ୍ୱଙ୍କୁ ହୃଦୟରୁ ଧନ୍ୟବାଦ ଦେବା ସହ ସମାଜରେ ନାଜୁର ସାହେବଙ୍କ ଭଳି ବ୍ୟକ୍ତିତ୍ୱ ବିରଳ ବୋଲି କହିଥିଲେ। ତାଙ୍କ ଭଳି ବ୍ୟକ୍ତିଙ୍କ ପାଇଁ ଆଜିର ସମାଜ ବଞ୍ଚି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ