ନାଟ୍ୟଗୁରୁ ଶରତ ଥାଟୋଇଙ୍କୁ ନାଟ୍ୟାଚାର୍ଯ୍ୟ ଉପାଧି ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ରାଜ୍ୟର ପ୍ରମୁଖ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଓଡିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ନାଟ୍ୟଗୁରୁ ତଥା ସୁନାମଧନ୍ୟ ନାଟ୍ୟ ନିର୍ଦେଶକ ଏବଂ ସୁପରିଚିତ ନାଟ୍ୟକାର ଶରତ ଚନ୍ଦ୍ର ଥାଟୋଇଙ୍କୁ ତାଙ୍କର ସାମଗ୍ରିକ କୃତି ତଥା ସଫଳ ନାଟ୍ୟ ନିର୍ଦେଶନା ପାଇଁ “ନାଟ୍ୟାଚାର୍ଯ୍ୟ”ଉପାଧି ପ୍ରଦାନ କରାଯାଇଛି । ଓଡିଶା ପ୍ରତିଭା ପୂଜା ସଂସଦର ୨୧ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଧନଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟ୍ୟଗୁରୁ ଶ୍ରୀ ଥାଟୋଇଙ୍କୁ ମାନପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରୀ ଥାଟୋଇଙ୍କ ରାମାୟଣ ଉପରେ ପର୍ଯ୍ୟବେସିତ ଗୀତିନାଟ୍ୟ ପୁସ୍ତକ “ଅଧା ରହିଗଲା ଯଜ୍ଞ ଆହୁତି” ଲୋକାର୍ପିତ ହୋଇଥିଲା । ‘ସମାଜ’ର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ସଂସଦର ସଭାପତି ଡଃ. ସତ୍ୟ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ତ୍ୟାଗ ସ୍ୱରୂପ। । ନନ୍ଦ ସରସ୍ୱତୀ ଉଦଘାଟନ କରିଥିବା ବେଳେ ଶକ୍ତି ସଚିବ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ମୁରଲୀଧର ସାମଲ ମୁଖ୍ୟବକ୍ତା ଏବଂ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ସାହୁ, ବିଶିଷ୍ଟ ସାହିତ୍ୟିକ ଉମାଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ନାଟ୍ୟଗୁରୁ ଶ୍ରୀ ଥାଟୋଇ ଏକାଧାରରେ ଜଣେ ସଫଳ ନାଟ୍ୟକାର, ବରିଷ୍ଠ ନାଟ୍ୟ ନିର୍ଦେଶକ, ସୁଦକ୍ଷ ଅଭିନେତା, ସ୍ୱନାମଧନ୍ୟ ଗୀତିକାର, ସୁପରିଚିତ ସଂଗୀତକାର, ବିଶିଷ୍ଟ କଣ୍ଠଶିଳ୍ପୀ, ବରିଷ୍ଠ ତବଲାବାଦକ ଏବଂ ଜଣେ ବରେଣ୍ୟ ନାଟ୍ୟ ବିଚାରକ ଭାବେ ସାରା ରାଜ୍ୟରେ ବେଶ ପ୍ରତିଷ୍ଠିତ । କେନ୍ଦ୍ରାପଡା ଜିଲ୍ଲାର ସାନମାଣିତିଆ ଗ୍ରାମର ସ୍ୱର୍ଗତ ଶ୍ୟାମସୁନ୍ଦର ଥାଟୋଇ ଏବଂ ସ୍ୱର୍ଗତା ରମା ସୁନ୍ଦରୀ ଥାଟୋଇଙ୍କ ଏକମାତ୍ର ସନ୍ତାନ । ଏଯାବତ ଶ୍ରୀ ଥାଟୋଇ ଶତାଧିକ ସାମାଜିକ, ପୈାରାଣିକ ଓ କାଳ୍ପନିକ ନାଟକ, ଗୀତିନାଟ୍ୟ ଏବଂ ଆଧ୍ୟାତ୍ମିକ ଭଜନ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଗୀତିନାଟ୍ୟ ‘ଅଧା ରହିଗଲା ଯଜ୍ଞ ଆହୁତି’ ପୁସ୍ତକଟିକୁ ପ୍ରଥମ କରି ରାଜ୍ୟର ଏକ ପ୍ରମୁଖ ସାହିତ୍ୟ, ସଂସ୍କୃତି ଓ ସମାଜମଙ୍ଗଳକାରୀ ସଂଗଠନ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନାଟରାର ବିଦ୍ୟୁତ ପ୍ରଭା ଦେବୀ ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ତଥା ନାଟ୍ୟକାର ପ୍ରଭାତ କୁମାର ଦାସଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ନାଟ୍ୟକାର ଶ୍ରୀ ଥାଟୋଇଙ୍କ ପୁସ୍ତକ ଉନ୍ମୋଚିତ ହେବା ଏବଂ ତାଙ୍କୁ ନାଟ୍ୟାଚାର୍ଯ୍ୟ ଉପାଧି ମିଳିବା ପରେ ସମଗ୍ର ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏଥିପାଇଁ ଶ୍ରୀ ଥାଟୋଇଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିବା ଜଣାପଡିଛି ।


