ଗଞ୍ଜେଇ ବୋଝେଇ ଟାଟା ମେଜିକ ଧକ୍କାରେ ବାଇକ ଚାଳକ ମୃତ : ଡ୍ରାଇଭର ଅଟକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନୂୂଆ ମୌଳାଭଞ୍ଜା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଗଞ୍ଜେଇ ଚୋରାଚାଲାଣ ଟାଟା ମେଜିକ ଧକ୍କାରେ ରବିନ୍ଦ୍ର ପ୍ରଧାନ (୨୫) ନାମକ ଜଣେ ବାଇକ ଚାଳକ ଯୁବକର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ମୃତ ରବିନ୍ଦ୍ରଙ୍କ ଘର ଗୋପାଳପୁର ଥାନା ବରଜିସ୍ ପେଣ୍ଠ ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ, ପ୍ରଚୁର ଅର୍ଥ ଲାଳସା ତଥା ବିଳାସପୂର୍ଣ୍ଣ ଜୀବନ ବିତାଇବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ଆଜିକାର ଯୁବପିଢୀ ମାନେ ବେଆଇନ କାରବାର କରିବାକୁ ପଛାଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଆର୍ . ଉଦୟଗିରି ଥାନା ବାୟାଗୁଡା ଗ୍ରାମର ଅନନ୍ତ ରଇତା (୨୦) ନାମକ ଯୁବକ ଏକ ଟାଟା ମେଜିକ ( ଓଡି୨୦ ଏ ୪୮୬୬) ଯୋଗେ ଗଞ୍ଜେଇ ଧରି ଗଜପତିରୁ ବ୍ରହ୍ମପୁର ଦେଇ ପୁରୀ ଜିଲ୍ଲାକୁ ବେଆଇନ ଭାବେ ଚୋରାଚାଲାଣ କରୁଥିବା ସମୟରେ ମୌଳାଭଞ୍ଜା ଗ୍ରାମ ନିକଟରେ ବିପରୀତ ଦିଗରୁ ରବିନ୍ଦ୍ର ( ଓଡି୦୭ ଏବି ୩୪୮୯) ବାଇକ ଯୋଗେ ଆସୁଥିବା ବେଳେ ଉଭୟ ଡାଡିଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ । ଖବରପାଇ ପୋଲିସଙ୍କ ଉପସ୍ଥିତିରେ ଗୁରୁତର ଅବସ୍ଥାରେ ରବିନ୍ଦ୍ରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପରେ ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଥିବା ଜଣାପଡିଛି । ଏନେଇ ପୋଲିସ ଥାନା ନଂ ୦୧/୨୨ ପ୍ରକାରେ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଯାଞ୍ଚ ପରେ ସେଥିରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲା । ଘଟଣାପରେ ପୋଲିସ ଗଞ୍ଜେଇ ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜାରି ରଖିପାରିଛି । ତେବେ ଥାନାରେ ଉକ୍ତ ଜବତ ଗଞ୍ଜେଇର ମାପଚୁପ ବେଳେ ସେଥିରେ ୮୮ କିଲୋ ୯୦୦ ଗ୍ରାମ୍ ଗଞ୍ଜେଇ ରହିଥିବା ସୂଚନା ମିଳିଛି । ଯାହାର ବଜାରିକ ଆକଳନ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଧ ହେବ ବୋଲି ଜଣାପଡିଛି । ସେହିଭଳି ପୋଲିସ ଅନ୍ୟ ଏକ ଥାନା ନଂ ୦୨/୨୨ ପ୍ରକାରେ ଗଞ୍ଜେଇ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସ୍ଥାନୀୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ