ନାରୀଙ୍କ ସାତଟି ବିଶେଷ ଗୁଣ

ଭଗବାନ ତାଙ୍କ ସୃଷ୍ଟିର ସମସ୍ତ ଜୀବଙ୍କ ଭିତରେ, ଆତ୍ମା ରୂପରେ ସମାନ ଭାବରେ ପୂରି ରହି ସମସ୍ତଙ୍କୁ ସଂଚାଳିତ କରୁଥିଲେ ମଧ୍ୟ ଭିନ୍ନ ଭିନ୍ନ ଲୋକଙ୍କର ପୃଥକ୍ ପୃଥକ୍ କର୍ମ ସମ୍ପାଦନ ନିମିତ୍ତ ଶକ୍ତିର ବିଭିନ୍ନତା ଦୃଷ୍ଟିରୁ ସେମାନଙ୍କ ଭିତରେ ଭଗବାନଙ୍କ ବିଭୂତିର ତାରତମ୍ୟ ଦେଖାଦେଇଥାଏ । ସେହି ଦୃଷ୍ଟିରୁ ପିଲାମାନଙ୍କୁ ଜନ୍ମ ଦେଇ ସେମାନଙ୍କର ଲାଳନପାଳନ କରିବା ସହିତ ଅନ୍ୟମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ପରିବାର ଏବଂ ସମାଜରେ ମାଧୁର୍ଯ୍ୟର ଭାବ ସୃଷ୍ଟି କରିବା ଭଳି କର୍ତ୍ତବ୍ୟ ସମ୍ପାଦନ ପାଇଁ ଭଗବାନ୍ ତାଙ୍କ ବିଭୂତି ରୂପରେ ନାରୀମାନଙ୍କଠାରେ ସାତୋଟି ବିଶେଷ ଗୁଣ ରୂପରେ ପ୍ରକାଶ ହୋଇଛନ୍ତି । ସେହିଗୁଣଗୁଡ଼ିକ ହେଉଛି କୀର୍ତ୍ତି, ଶ୍ରୀ, ବାକ୍, ସ୍ମୃତି, ମେଧା, ଧୃତି ଏବଂ କ୍ଷମା ।
ଭଗବାନ କୀର୍ତ୍ତି ରୂପରେ ନାରୀମାନଙ୍କଠାରେ ପ୍ରକାଶିତ ହୋଇ ନାରୀଙ୍କର ପବିତ୍ରତା, ନିଷ୍କଳଙ୍କ ଚରିତ୍ର ଏବଂ ସଦାଚରଣର ଭାବକୁ ନେଇ ତାଙ୍କର ସୁଖ୍ୟାତି ପ୍ରକାଶ କରିଛନ୍ତି । ସେହି ଦୃଷ୍ଟିରୁ ନାରୀମାନେ ତାଙ୍କ ଉପରେ ନିର୍ଭରଶୀଳ ତାଙ୍କ ପରିବାରର ସମସ୍ତ କାମସବୁ ଠିକ୍ ସମୟରେ କରିଦେବା ଦରକାର । ଏହା ଦ୍ୱାରା ପରିବାରବର୍ଗ ଆନନ୍ଦପ୍ରାପ୍ତ ହେବେ ଓ ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।
ଭଗବାନ୍ ନାରୀମାନଙ୍କ ଶରୀରରେ ମେଧା ରୂପରେ ନିବାସ କରିଥାଆନ୍ତି । ଏହା ହେଉଛି ଧୀଶକ୍ତି ବା ଧାରଣ କରିବାର ଶକ୍ତି । ଏହି ଶକ୍ତିସମ୍ପନ୍ନ ବ୍ୟକ୍ତିକୁ ଯାହା ଥରେ ଶିଖାଇ ଦିଆଯାଏ ସେ ତାହା ସହଜରେ ମନେ ରଖିଥାଆନ୍ତି, ଏପରିକି କେତେକ ବିଷୟ ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କ ମନରେ ରହିଯାଇଥାଏ । ନାରୀମାନଙ୍କ ମେଧା ଦୃଷ୍ଟିରୁ ସେମାନେ ସମସ୍ତ କାମକୁ ଶୀଘ୍ର ବୁଝିଥାନ୍ତି ଓ ବିରକ୍ତି ପ୍ରକାଶ ନକରି ସେ ସବୁର ସମ୍ପନ୍ନ କରିବା ନାରୀ ପକ୍ଷେ ସହଜସାଧ୍ୟ ହୋଇଥାଏ । ଏହି ଦୃଷ୍ଟିରୁ ଯାହାର ଧୀଶକ୍ତି ଯେତେ ପ୍ରଖର ତା’ର ସେତିକି ଅଧିକ ଆଦର ।
ଭଗବାନଙ୍କ ବିଭୂତି ଆତ୍ମବଳ ରୂପରେ ନାରୀଙ୍କଠାରେ ପ୍ରକଟିତ ହୋଇ ତାଙ୍କୁ ପ୍ରଦାନ କରୁଥିବା ଧୈର୍ଯ୍ୟ ବା ଧାରଣ କରିବାର ଶକ୍ତି ହେଉଛି ଧୃତି । ଯାହାର ଜୀବନରେ ଧୃତି କମିଯାଏ ସେ ବିଶେଷ ଶକ୍ତିଶାଳୀ ହୋଇ ପାରିନଥାନ୍ତି ଏବଂ ଜୀବନରେ ସଫଳ ହୋଇପାରି ନଥାନ୍ତି । ଦଣ୍ଡ ଦେବାର ଶକ୍ତିଥିଲେ ମଧ୍ୟ ଅପରାଧକୁ ଭୁଲି, ଅପରାଧୀକୁ କିଛି ଦଣ୍ଡ ନ ଦେବା ହେଉଛି କ୍ଷମା । ବିଭୂତି ରୂପରେ ନାରୀମାନଙ୍କ ପାଖରେ ଭଗବାନ ରହି ସେମାନଙ୍କ ସ୍ୱଭାବସୁଲଭ କର୍ତବ୍ୟ ପାଳନ ପାଇଁ ଏହି ସଦଗୁଣର ବିଶେଷ ପ୍ରଭାବ ଅଛି ।
ଭଗବାନ ତାଙ୍କ ବିଭୂତି ରୂପରେ ପ୍ରକାଶ କରିଥିବା ସାତୋଟି ଗୁଣକୁ ଧାରଣ କରିଥିବା ଜଣେ ଆଦର୍ଶ ନାରୀ ସତୀସାଧ୍ୱୀ ରୂପରେ ଏତେ ଉପରକୁ ଉଠି ଯାଇପାରିବେ ଯେପରି ଲୋକେ ମନେ କରିବେ ଯେ ଜଣେ ଦେବୀ ସ୍ୱର୍ଗରୁ ପୃଥିବୀକୁ ଓହ୍ଲାଇ ଆସିଛନ୍ତି । ସେତେବେଳେ ସେ ପୃଥିବୀ ପରି କ୍ଷମାଶୀଳ, ସମୁଦ୍ର ପରି ଗମ୍ଭୀର, ଗଙ୍ଗା ମାତାଙ୍କ ପରି ପାବନୀ ଏବଂ ଦୃଷ୍ଟିଙ୍କ ପାଇଁ ପ୍ରଜ୍ୱଳିତ ଅଗ୍ନିସ୍ୱରୂପ ହୋଇଯାଇପାରେ । ସେ ସମସ୍ତଙ୍କୁ ଶୀତଳତାର ସ୍ପର୍ଶ ଦେଇପାରିବ ଓ ଆକାଶ ପରି ସମସ୍ତଙ୍କୁ ଧାରଣ କରିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ