ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ: ଗୋଟିଏ ମତଦାନ କେନ୍ଦ୍ରରେ ୧,୦୦୦ ଲୋକ ଦିଅନ୍ତୁ ଭୋଟ୍
ନୂଆଦିଲ୍ଲୀ: ଭୋଟଦାନ କେନ୍ଦ୍ରରେ ମତଦାତାମାନଙ୍କର ସଂଖ୍ୟାକୁ ସୀମିତ ରଖିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛି। କରୋନା ପ୍ରକୋପ ଯୋଗୁଁ ଗୋଟିଏ ମତଦାନ କେନ୍ଦ୍ରରେ ୧୦୦୦ରୁ କମ୍ ମତଦାତା ଭୋଟ୍ ଦେବା ଲାଗି ବିଭିନ୍ନ ରାଜନୈତିକ ଦଳଙ୍କୁ ପ୍ରସ୍ତାବ ଦେଇଛି ଆୟୋଗ। ଭୋଟଦାନ କେନ୍ଦ୍ରମାନଙ୍କରେ ଭିଡକୁ କମ କରିବା ତଥା ସାମାଜିକ ଦୂରତା ନିୟମକୁ ପାଳନ ସକାଶେ ପ୍ରତ୍ୟେକ ଭୋଟଦାନ କେନ୍ଦ୍ରରେ ଅତିକମରେ ୧୦୦୦ଜଣ ଭୋଟରଙ୍କୁ ଡକାଯିବ ବୋଲି ବିଚାର କରାଯାଉଛି । ଏହା ଠାରୁ ଅଧିକ ମତଦାତାଙ୍କୁ ମତଦାନ କେନ୍ଦ୍ରକୁ ଯିବାର ଅନୁମତି ଦିଆଯିବ ନାହିଁ ବୋଲି ଆୟୋଗ ନିଷ୍ପତ୍ତି ନେଇଛି । ମତଦାତା ମାନଙ୍କର ସଂଖ୍ୟା ୧,୦୦୦ରୁ ଅଧିକ ହେଲେ ସହାୟକ ଭୋଟଦାନ ବୁଥ ତିଆରି କରାଯିବ । ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ତଥା ଓଡିଶା ସମେତ ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନରେ ଏହାର ପ୍ରୟୋଗ କରାଯିବ । ଏଇଥିପାଇଁ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କ ପାଖରୁ ମତାମତ ଲୋଡିଛି । ମତାମତ ମିଳିବାି ପରେ ବୁଥରେ ଭୋଟଦାତାଙ୍କ ସଂଖ୍ୟା ସମ୍ପର୍କରେ ଆୟୋଗ ଚୂଡାନ୍ତ ନିଷ୍ପତି ନେବ । ଉଲ୍ଲେଖଯୋଗ୍ୟ, କୋଭିଡ-୧୯ ପ୍ରକୋପ ପାଇଁ ନିର୍ବାଚନ ଆୟୋଗ ୬୫ବର୍ଷ ବୟସ ଓ ତାହା ଠାରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ ପୋଷ୍ଟାଲ ବ୍ୟାଲେଟରେ ଭୋଟଦାନ ପାଇଁ ନିଷ୍ପତି ନେଇଛି ।


