ସୋମବାରଠାରୁ ରାଜଭବନରେ ଅନଲାଇନରେ ସାଧାରଣ ଅଭିଯୋଗ ଶୁଣାଣି ହେବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଆଗାମୀ ସୋମବାର ଜୁଲାଇ ୬ ତାରିଖଠାରୁ ଓଡ଼ିଶା ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହେବ । ଏଥିପାଇଁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ୱେବ୍ ପୋର୍ଟାଲ (https://cmgcodisha.gov.in) ବିକଶିତ କରାଯାଇଛି । ଏହା ମାଧ୍ୟମରେ ଅଭିଯୋଗକାରୀ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ନିଜ ଅଭିଯୋଗ ଅପ୍ଲୋଡ଼୍ କରିପାରିବେ । ଏହା ପ୍ରାପ୍ତ ହେଲା ପରେ ସଂପୃକ୍ତ ବିଭାଗକୁ ତାର ଫଏସଲା ନିମନ୍ତେ ଯଥାସମ୍ଭବ ତୁରନ୍ତ ପଦକ୍ଷେପ ନେବାକୁ ପଠାଇଦିଆଯିବ । ୱେବ୍ ପୋର୍ଟାଲରେ ଅଭିଯୋଗ ଅପ୍ଲୋଡ଼୍ ହେଲା ମାତ୍ରେ ଅଭିଯୋଗକାରୀ ନିଜ ଫୋନ୍ ନମ୍ବରରେ ପଂଜୀକରଣ ସଂଖ୍ୟା ସହ ଏକ ମେସେଜ୍ ପାଇବେ । ଏହି ପଂଜୀକରଣ ସଂଖ୍ୟାକୁ ପରବର୍ତୀ ସମୟରେ ଅଭିଯୋଗକାରୀ ନିଜ ଅଭିଯୋଗର ସ୍ଥିତି ସଂପର୍କରେ ଜାଣିବାକୁ ବ୍ୟବହାର କରିପାରିବେ । ଏହି ଅନ୍ଲାଇନ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ଲକ୍ଷ୍ୟ ସମୟର ସଠିକ ଉପଯୋଗ ସହ ଶୀଘ୍ର ଅଭିଯୋଗ ଫଏସଲା ପାଇଁ ଅଭିପ୍ରେତ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି ।


